ଘୁଞ୍ଚିବନି ଓପିଏସସି ପରୀକ୍ଷା, ରହିଛି ଏହି ଗାଇଡଲାଇନ

ଭୁବନେଶ୍ୱର: ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଓଡିଶା ସିଭିଲ ସର୍ଭିସ୍ ପରୀକ୍ଷା ଏବଂ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନଙ୍କ ନିମନ୍ତେ କୋଭିଡ୍ ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି । ଏହି ମର୍ମରେ ଓଡିଶା ଲୋକସେବା ଆୟୋଗର ସଚିବଙ୍କ ପ୍ରଦତ୍ତ ସୂଚନା ଜାରି କରାଯାଇଛି । ଚଳିତ ମାସ ୨୦ତାରିଖରୁ ସିଭିଲ ସର୍ଭିସ୍ ପରୀକ୍ଷା ଆରମ୍ଭ ହେବାକୁ ଥିବବେଳେ ୨୩ ତାରିଖ ଦିନ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା ହେବ ।
କୋଭିଡ ଦସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ପରକ୍ଷାର୍ଥୀଙ୍କୁ ଏନ୍-୯୫ ମାସ୍କ ପିନ୍ଧିବାକୁ କୁହାଯାଇଛି । ମାସ୍କ ପିନ୍ଧିନଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । କେବଳ ପରୀକ୍ଷା ପରିଚାଳନା ସଂପୃକ୍ତ ଅଧିକାରୀମାନେ ତଦାରଖ କରିବା ସମୟରେ ପରୀକ୍ଷାର୍ଥୀମାନେ ମାସ୍କ ଖୋଲିବେ । ଗୋଟିଏ ସ୍ୱଚ୍ଛ ବୋତଲରେ ପରୀକ୍ଷାର୍ଥୀମାନେ ନିଜ ନିଜର ସାନିଟାଇଜର ନେଇପାରିବେ । ପରୀକ୍ଷା କେନ୍ଦ୍ରଗୁଡିକରେ ହାତରେ ସାନିଟାଇଜେସନ୍ ବ୍ୟବହାର କରିବା ପାଇଁ ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଓ ପରିସର ମଧ୍ୟରେ ପରୀକ୍ଷାର୍ଥୀମାନେ କୋଭିଡ ନିୟମ ଅନୁପାଳନପୂର୍ବକ ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ନିୟମ ପାଳନ କରିବାକୁ କୁହାଯାଇଛି । ସାମାଜିକ ଦୂରତ୍ୱର ନିୟମାନୁସାରେ ପରୀକ୍ଷାକେନ୍ଦ୍ରରେ ବସିବା ବ୍ୟବସ୍ଥା କରାଯାଉଛି । ଯଦି କୌଣସି ସମୟରେ ପରୀକ୍ଷାର୍ଥୀଙ୍କର କୋଭିଡ୍ ଲକ୍ଷଣ ପ୍ରକାଶ ପାଏ, ସେ ତୁରନ୍ତ କେନ୍ଦ୍ରରେ ରହିଥିବା ପରୀକ୍ଷା ପରିଚାଳକଙ୍କୁ ଜଣାଇବେ । ଏହି ପରୀକ୍ଷାର୍ଥୀଙ୍କ ନିମନ୍ତେ ପୃଥକବାସ ସଂପୃକ୍ତ ପରୀକ୍ଷା ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଛି ।
ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଏହି ସୂଚନାରେ ଉପରୋକ୍ତ ଉଭୟ ପରୀକ୍ଷା ଦେବା ପାଇଁ ଯାଉଥିବା ପରୀକ୍ଷାର୍ଥୀମାନେ କୋଭିଡ୍ ନିୟମାବଳୀର କଠୋର ଅନୁପାଳନ ନିମନ୍ତେ ପରାମର୍ଶ ଦିଆଯାଇଛି ।
Powered by Froala Editor