ମାଡ଼ ମାରିବା ମହଙ୍ଗା ପଡ଼ିଲା : ୬ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍)ର ଅଷ୍ଟମ ସେମିଷ୍ଟରର ୬ ଜଣ ଛାତ୍ରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଷ୍ଟୁଡେଣ୍ଟ ଓ୍ବେଲଫେୟାର ଡିନଙ୍କ ଆକାଉଣ୍ଟରେ ପ୍ରତି ଛାତ୍ର ପିଛା ୧୫ ହଜାର ଟଙ୍କା ଲେଖାଏଁ ଜମା କରିବାକୁ ୬ ଜଣ ଛାତ୍ରଙ୍କ ଅଭିଭାବକଙ୍କୁ ନିର୍ଦ୍ଦେଶ ରହିଛି। ଏହାସହ ଏହି ୬ ଜଣ ଛାତ୍ରଙ୍କ ସପ୍ତମ ସେମିଷ୍ଟାରରେ ପ୍ରଥମ ଦୁଇଟି ବିଷୟରେ ଗୋଟିଏ ଲେଖାଏଁ ଗ୍ରେଡ ପଏଣ୍ଟ ହ୍ରାସ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଏହାସହ ଆସନ୍ତା ଜାନୁଆରୀ ୩୧ ତାରିଖ ମଧ୍ୟରେ ୨୦ ଟଙ୍କା ନନ୍ ଜୁଡିସିଆଲ ଷ୍ଟାମ୍ପ ପେପରରେ ଏକ ଅଣ୍ଡରଟେକିଂ ଦେବାକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ନୋଟିସ ମାଧ୍ୟମରେ ଅବଗତ କରିଛନ୍ତି ଭିସୁଟ୍ ରେଜିଷ୍ଟାର ।
ଗତ ଡିସେମ୍ବର ମାସ ୧୭ ତାରିଖ ସନ୍ଧ୍ୟାରେ ଏହି ଛାତ୍ରମାନେ ବୁର୍ଲା କୀରବା ଛକ ନିକଟରେ ଜଣେ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ମାଡ଼ ମାରିବା ସହିତ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଥିଲା। ସଂପୃକ୍ତ ଛାତ୍ର ଜଣଙ୍କ ବୁର୍ଲା ଥାନା ଓ ଭିସୁଟ୍ କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ।
Powered by Froala Editor