ମହାରାଷ୍ଟ୍ରରେ ୨୬୫ ପୋଲିସଙ୍କ ଜୀବନ ନେଲାଣି କରୋନା
ମୁମ୍ବାଇ: ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ବର୍ତ୍ତମାନର ତୃତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଚଳିତ ବର୍ଷ ଆରମ୍ଭରୁ ଏହି ସଂକ୍ରମଣ ବୃଦ୍ଧି ପାଇଛି । କରୋନାକୁ ନେଇ ମହାରାଷ୍ଟ୍ରରୁ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ୨୬୫ ଜଣ ପୋଲିସ କର୍ମଚାରୀ କରୋନା ଯୋଗୁ ପ୍ରାଣ ହରାଇଛନ୍ତି । ଆଉ ସେଥି ମଧ୍ୟରେ ମୁମ୍ବାଇରୁ ମୁମ୍ବାଇରୁ ସର୍ବାଧିକ ୧୪୬ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ତାହା ସହ ରାଜ୍ୟରେ ଏବେବି ବିଭିନ୍ନ ପୋଲିସ କାର୍ୟ୍ୟାଳୟରେ କାମ କରୁଥିବା ୨,୧୪୫ ଜଣ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ଦେଶରେ କରୋନାର ତୃତୀୟ ଲହର ଚାଲିଛି । ଓମିକ୍ରନ ଭୂତାଣୁ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ତାର କାୟା ବିସ୍ତାର କରିସାରିଲାଣି । ହେଲେ ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ ମାମଲା ଚିହ୍ନଟ ହେଉଛନ୍ତି ।
ଦେଶରେ ବେକାବୁ ହେଉଛି ମହାମାରୀ । ଦିନକୁ ଦିନ ନୂଆ ରେକର୍ଡ କରୁଛି ସଂକ୍ରମଣ । ବୁଧବାର ପଜିଟିଭ ମାମଲା ଦୁଇ ଲକ୍ଷ ତଳେ ରହିଥିବାବେଳେ ଗୁରୁବାର ଅଢେଇ ଲକ୍ଷ ମୁହାଁ ହୋଇଛି ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୨,୪୭,୪୧୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ବୁଧବାର ତୁଳନାରେ ୨୭% ପ୍ରତିଶତ ଅଧିକ । ସେହିପରି ଦିନକରେ ୮୪,୮୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା ୧୧,୧୭,୫୩୧ରେ ପହଞ୍ଚିଛି । ଦେଶରେ ଦିନକୁ ଦିନ ପଜିଟିଭ ହାର ମଧ୍ୟ ବଢିଚାଲିଛି । ଡିସେମ୍ବର ଶେଷରେ ଭାରତର ଦୈନିକ ପଜିଟିଭ ହାର ୧.୧ ପ୍ରତିଶତ ଥିବାବେଳେ ବର୍ତ୍ତମାନ ଏହା ୧୩.୧୧%କୁ ବୃଦ୍ଧି ପାଇଛି । ଅନ୍ୟପଟେ ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ କାୟା ମେଲାଇ ଚାଲିଛି । ଏବେସୁଦ୍ଧା ଦେଶରେ ମୋଟ ଓମିକ୍ରନ ପଜିଟିଭ ସଂଖ୍ୟା ୫,୪୮୮ ରହିଛି । ଯଦିଓ ଓମିକ୍ରନ ଡେଲ୍ଟା ଅପେକ୍ଷା କମ୍ ଘାତକ, କିନ୍ତୁ ଏହାକୁ ସାଧାରଣ ଥଣ୍ଡା ଭାବେ ଗ୍ରହଣ ନ କରିବାକୁ ନୀତି ଆୟୋଗ ସଦସ୍ୟ ଭିକେ ପଲ୍ ସତର୍କ କରିଛନ୍ତି ।
Powered by Froala Editor