ଆଜି ୧୪ଟି ଜିଲ୍ଲାରେ କୁଆପଥର ବର୍ଷା
ଭୁବନେଶ୍ୱର: ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି । ଏଥିପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ଅଦିନିଆ ବର୍ଷା ଚାଷୀଙ୍କ ପାଇଁ କାଳ ସାଜିଛି । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ କୁଆ ପଥର ମାଡ ହେଉଥିବା ସୂଚନା ମିଳିଛି । ଏହିଭଳି ପାଣିପାଗ ୧୫ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁସାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କନ୍ଧମାଳ, ବଲାଙ୍ଗୀର ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ସେହିପରି ଆଭ୍ୟନ୍ତରୀଣ ଓଡିଶା ଓ ଦକ୍ଷିଣ ଓଡିଶାର ଅଧିକାଂଶ ସ୍ଥାନ ଏବଂ ଉତ୍ତର ଓଡିଶା ଉପକୂଳରେ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଥିବା ସୂଚନା ମିଳିଛି ।
ତେବେ ଆଜି କନ୍ଧମାଳ, ବୌଦ୍ଧ, ନୟାଗଡ, କଳାହାଣ୍ଡି, ରାୟଗଡା, ଗଞ୍ଜାମ ଆଦି ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣି ପାଗ ବିଭାଗ ଆକଳନ କରିଛି । ଏହାସହିତ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର, ନୂଆପଡା, ନବରଙ୍ଗପୁର, କୋରାପୁଟ, ରାୟଗଡା, ନୟାଗଡ, କଟକ ଓ ଗଞ୍ଜାମ ଆଦି ୧୪ଟି ଜିଲ୍ଲାରେ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି । ତେଣୁ ଏହି ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
Powered by Froala Editor