ମକର ସଂକ୍ରାନ୍ତି ପାଇଁ କଟକଣା ଲାଗୁ : ‘ହର କି ପୌଡି’ରେ ସ୍ନାନ ନିଷେଧ
ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହରିଦ୍ୱାର ଜିଲ୍ଲା ପ୍ରଶାସନ ‘ମକର ସଂକ୍ରାନ୍ତି’ରେ ଶ୍ରଦ୍ଧାଳୁଙ୍କ ସ୍ନାନ ଉପରେ ରୋକ ଲଗାଇଛନ୍ତି। ଏଥିସହ ଜାନୁଆରୀ ୧୪ରେ ଆୟୋଜିତ ହେବାକୁ ଥିବା ‘ହର କି ପୌଡି’ରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପବିତ୍ର ସ୍ନାନକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ଏଠାରେ ରାତି ୧୦ଟାରୁ ସକାଳ ୬ ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଏହାକୁ କଡାକଡି ପାଳନ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ହରିଦ୍ୱାର ଜିଲ୍ଲା ମାଜିଷ୍ଟ୍ରେଟ ବିନୟ ଶଙ୍କର ପାଣ୍ଡେ ନିର୍ଦ୍ଦେଶ ଦେଇଛନ୍ତି।
ଜିଲା ପ୍ରଶାସନ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ ମକର ସଂକ୍ରାନ୍ତି ଦିନ ବାହାର ରାଜ୍ୟର କୌଣସି ପର୍ଯ୍ୟଟକ, ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଏଥିସହିତ ସ୍ଥାନୀୟ ନାଗରିକ ମଧ୍ୟ ‘ହର କି ପୌଡି’ ଅଞ୍ଚଳକୁ ଯାଇପାରିବେ ନାହିଁ । ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଧାର୍ମିକ ସମାବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି । କୋଭିଡ-୧୯ ନିୟମାବଳୀ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।
ସୂଚନା ମୁତାବକ, ଉତ୍ତରାଖଣ୍ଡରେ ସୋମବାର ୧୨୯୨ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେହିପରି ୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ମିଶାଇ ଏଠାରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୪୨୯ରେ ପହଞ୍ଚିଛି।
Powered by Froala Editor