ଆରମ୍ଭ ହୋଇଛି ପିଲାଙ୍କ ଟିକାକରଣ,ଦେଶରେ ୪୧.୩ଲକ୍ଷ ପିଲା ନେଇଛନ୍ତି ପ୍ରଥମ ଡୋଜ୍
ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବଢୁଥିବାବେଳେ କରୋନା ଗ୍ରାଫ ମଧ୍ୟ ଉପରମୁହାଁ ହେବାରେ ଲାଗିଛି । ଅନ୍ୟପଟେ ସାରା ଦେଦଶରେ ୧୫ରୁ ୧୮ ପିଲାଙ୍କୁ କରୋନା ଟିକା ଦିଆଯାଉଛି ।
ଗତକାଲିଠୁ ଆରେମ୍ଭ ହୋଇଛି ପିଲାଙ୍କ ଟିକାକରଣ । ସୋମବାର ଠାରୁ ୧୫ରୁ ୧୮ବର୍ଷ ପିଲାଙ୍କ ଭ୍ୟାକ୍ସିନେସନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ଦେଶରେ ୪୧.୩ଲକ୍ଷ ପିଲା କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ମଧ୍ୟପ୍ରଦେଶରେ ସର୍ବାଧିକ ୭.୫ଲକ୍ଷ ଟିକାକରଣ ହୋଇଛି, ଏହା ପଛକୁ ଗୁଜରାଟରେ ୫.୬ ଲକ୍ଷ, ଆନ୍ଧ୍ର ପ୍ରଦେଶରେ ୪.୯ ଲକ୍ଷ, କର୍ଣ୍ଣାଟକାରେ ୪.୧ ଲକ୍ଷ ଓ ରାଜସ୍ଥାନରେ ୩.୬ ଲକ୍ଷ ପିଲାଙ୍କୁ ଟିକା ଦିଆଯାଇଛି । ସବୁଠୁ ବଡ ରାଜ୍ୟ ଉତ୍ତରପ୍ରଦେଶରେ ୧.୭ଲକ୍ଷ ଟିକା ଦିଆଯାଇଛି , ବିହାରରେ ୧.୭ ଲକ୍ଷ, ମହାରାଷ୍ଟ୍ରରେ ୧.୮ ଲକ୍ଷ, ତାମିଲନାଡୁରେ ୧.୯ ଲକ୍ଷ ଓ ପଶ୍ଚିମବଙ୍ଗରେ ପ୍ରାୟ ଲକ୍ଷେ ପିଲାଙ୍କୁ ପ୍ରଥମ ଦିନରେ କରୋନା ଟିକାର ଡୋଜ୍ ଦିଆଯାଇଛି। ଦେଶର ରାଜଧାନୀ ଦିଲ୍ଲୀରେ ରାତି ୧୦ଟା ସୁଦ୍ଧା ୨୧,୦୧୦ କିଶୋର/କିଶୋରୀଙ୍କୁ ଟିକା ଦିଆଯାଇ ପାରିଛି।
ଛୋଟ ପିଲାମାନଙ୍କ ଟିକାକରଣ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଜାନୁଆରୀ ୧ରୁ ଆରମ୍ଭ ହୋଇଥିଲା । ଟିକା ନେବାକୁ ଦେଶର ପ୍ରାୟ ୫୩.୬ ଲକ୍ଷ ପିଲା ପଞ୍ଜୀକରଣ କରିଥିଲେ । ସେହିପରି ଟିକାକରଣ କେନ୍ଦ୍ରକୁ ଯାଇ ମଧ୍ୟ ଲକ୍ଷାଧିକ ପିଲା ଡୋଜ୍ ନେବାକୁ ପଞ୍ଜୀକରଣ କରିଥିବା ଦେଖିବାକୁ ମିଳିଛି ।
ଦେଶରେ ମୋଟ ୭.୪ କୋଟି ପିଲାଙ୍କ ଟିକାକରଣ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ରାଜ୍ୟ ସରକାରମାନଙ୍କୁ ଛୋଟ ପିଲମାନଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କହିଛନ୍ତି । ସୋମବାର ୧.୧୨ ଲକ୍ଷ କେନ୍ଦ୍ରରେ ଛୋଟ ପିଲାମାନଙ୍କ ଟିକାକରଣ ହୋଇଛି । ଏହି ବର୍ଗରେ ଦେଶରେ ମୋଟ ୭.୪କୋଟି ହିତାଧିକାରୀ ରହିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୋୱିନ ଆପ ମାଧ୍ୟମରେ ୫୩.୬ଲକ୍ଷ କିଶୋର, କିଶୋରୀ ପଞ୍ଜୀକରଣ କରିସାରିଛନ୍ତି । ଅନ୍ୟପଟେ ଓଡିଶାରେ ମଧ୍ୟ ପ୍ରଥମ ଦିନରେ ୮୦ ହଜାରରୁ ଉର୍ଦ୍ଧ୍ୱ ପିଲାଙ୍କୁ କରୋନା ଟିକା ଦିଆଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ମିଳିଛି ।
Powered by Froala Editor