ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଆଇଏନଏସ୍ ଅରିଘାତରେ ମୁତୟନ କଲା ଭାରତ
ନୂଆଦିଲ୍ଲୀ : ନିଜର ଜଳ ସୀମାର ସୁରକ୍ଷା ଲାଗି ଭାରତ ପରମାଣୁ ଶକ୍ତିସମ୍ପନ୍ନ ଯୁଦ୍ଧାସ୍ତ୍ର ମୁତୟନ କରିଛି। ନିଜର ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ କରିବା ପୂର୍ବକ ଭାରତ ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଏହାର ଆଣବିକ କ୍ଷମତା ସମ୍ପନ୍ନ ବୁଡାଜାହାଜ ଆଇଏନଏସ୍ ଅରିଘାତରେ ମୁତୟନ କରିଛି। ଇତିହାସରେ ପ୍ରଥମ ଥର ପାଇଁ ଶାନ୍ତି ସମୟରେ ଭାରତ ପରମାଣୁ କ୍ଷମତାଧାରୀ ଯୁଦ୍ଧାସ୍ତ୍ରକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅବସ୍ଥାରେ (ରେଡି ଟୁ ଫାୟାର) ମୁତୟନ କରିଛି। ପ୍ରତିରକ୍ଷା ଓ ଅସ୍ତ୍ରଶସ୍ତ୍ର ଉପରେ ନଜର ରଖୁଥିବା ବିଶ୍ୱର ପ୍ରମୁଖ ସଂସ୍ଥା ‘ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ୍ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍’(ଏସ୍ଆଇପିଆରଆଇ)ର ରିପୋର୍ଟ ଅନୁଯାୟୀ ଭାରତ ନିଜର ପରମାଣୁ ରଣନୀତିରେ ଏକ ବଡ଼ ପରିବର୍ତ୍ତନ ପୂର୍ବକ ଏପରି ପଦକ୍ଷେପ ନେଇଛି। ସାଧାରଣତଃ ଶାନ୍ତି ସମୟରେ ପରମାଣୁ ବୋମାକୁ କ୍ଷେପଣାସ୍ତ୍ର ଠାରୁ ଅଲଗା ରଖାଯାଉଥିବା ବେଳେ, ପ୍ରଥମ ଥର ପାଇଁ ଭାରତ ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅବସ୍ଥାରେ ମୁତୟନ କରିଛି। ଏସ୍ଆଇପିଆରଆଇର ରିପୋର୍ଟ ଅନୁଯାୟୀ, ଭାରତ ନିଜର ପରମାଣୁ ଶକ୍ତିସମ୍ପନ୍ନ ବୁଡାଜାହାଜରେ ୧୨ଟି ଯୁଦ୍ଧାସ୍ତ୍ରକୁ କ୍ଷେପଣାସ୍ତ୍ର ସହିତ ଯୋଡ଼ି ସମ୍ପୂର୍ଣ୍ଣ ଆଲର୍ଟ ମୋଡ୍ରେ ରଖିଛି। ଭାରତ ନିକଟରେ ଆଇଏନ୍ଏସ୍ ଅରିଘାତ ଏବଂ ଆଇଏନ୍ଏସ୍ ଅରିହନ୍ତ ଭଳି ଦୁଇଟି ପରମାଣୁ ଶକ୍ତି ସମ୍ପନ୍ନ ବୁଡାଜାହାଜ ରହିଛି।
Powered by Froala Editor