ପିଲାଙ୍କୁ ଟିକା କାଲିଠୁ,୨୮ଦିନ ପରେ ଦ୍ୱିତୀୟ ଡୋଜ

ଭୁବନେଶ୍ୱର: ଉପରମୁହାଁ ହେଉଛି କରୋନା ସଂକ୍ରମଣ । କାୟା ମେଲାଉଛି କରୋନାର ନୂଆ ଭାରିଆଣ୍ଟ । ଦିନକୁ ଦିନ କରୋନାର ନୂଆ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଦେଶବାସୀଙ୍କ ମନରେ ଛନକା ପଶିଛି । କିପରି ଓମିକ୍ରନର ମୁକାବିଲା କରିହେବ, ଏଥିପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେଉଛନ୍ତି, ତଥାପି ସବୁ କଟକଣାକୁ ଭେଦ କରି ଓମିକ୍ରନ ଦ୍ରୁତ ଗତିରେ ସଂକ୍ରମଣ କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୨୫ରେ ପହଞ୍ଚିଛି ।
ତେବେ ବର୍ତ୍ତମାନ ସରକାର ପିଲାଙ୍କ ଟିକାକରଣ ଉପରେ ଦୃଷ୍ଟି ଦେଉଛନ୍ତି । ସରକାରଙ୍କ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ୨୦୨୨ ଜାନୁୟାରୀ ୧ଠାରୁ କୋ-ୱିନ ପ୍ଲାଟଫର୍ମରେ ୧୫ରୁ ୧୮ବର୍ଷ ବୟସ୍କ ପିଲାଙ୍କ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି । ୨୦୦୭ ଓ ଏହା ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ପିଲାଙ୍କୁ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରାଯାଇଥିବା କୋଭାକ୍ସିନ ଟିକା ପ୍ରଦାନ କରାଯିବ ।
ଆଧାର କାର୍ଡ ନଥିଲେ ମଧ୍ୟ ପିଲାମାନଙ୍କ ସ୍କୁଲ ଆଇଡି କାର୍ଡ ଓ ମାର୍କସିଟ୍ ଯୋଗେ ପଞ୍ଜିକରଣ କରୁଛନ୍ତି । କାଲିଠୁ ପିଲା ମାନଙ୍କୁ ଟିକା ଦିଆଯିବ । ପ୍ରଥମ ଡୋଜ୍ ନେବାର ୨୮ଦିନ ପରେ ଦ୍ୱିତୀୟ ଡୋଜ ପ୍ରଦାନ କରାଯିବ ଓ ଏହି ଅଭିଯାନ ଅନ୍ତର୍ଗତ ଦେଶର ପ୍ରାୟ ୧୦କୋଟି ପିଲାଙ୍କୁ ଟିକା ଦିଆଯିବ ବୋଲି ସୂଚନା ମିଳିଛି ।
Powered by Froala Editor