ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୫୩କୁ ବୃଦ୍ଧି

ନୂଆଦିଲ୍ଳୀ: ଦେଶରେ ହୁ ହୁ ହୋଇ ମାଡିଚାଲିଛି କରୋନାର ନୂଆ ଭାରିଆଣ୍ଟଓମିକ୍ରନ । ଏଥିପାଇଁ ଚିନ୍ତାରେ ସାରା ବିଶ୍ୱ । କରୋନାର ଏହି ନୂଆ ଭାରିଆଣ୍ଟ ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରୁଥିବାରୁ ଏଥିପାଇଁ ସରକାର ବିଭିନ୍ନ ପ୍ରକାର କଡା ପଦକ୍ଷପ ନେଉଛନ୍ତି । କିନ୍ତୁ ସମସ୍ତ କଟକଣାକୁ ଭେଦ କରି ଓମିକ୍ରନ ମାଡିଚାଲିଛି ।
ଦିନକରେ ରେକର୍ଡ ୧୩୫ ଆକ୍ରାନ୍ତ ସହ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ପାର କରିଛି । ଦେଶର ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ କରୋନାର ଏହି ନୂଆ ଭାରିଆଂଟ ଚିହ୍ନଟ ହୋଇ ସାରିଲାଣି । ଧୀରେଧୀରେ ଓମିକ୍ରନ ଯୋଗୁ ସ୍ଥିତି ବିଗିଡିବାରେ ଲାଗିଛି । ମହାରାଷ୍ଟ୍ରରେ ଓମକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୬୭ରେ ପହଞ୍ଚିଥିବାବେଳେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫ରେ ପହଞ୍ଚିଛି ।
ଏହା ସହିତ କେରଳରେ ୫୭, ଗୁଜୁରାଟରେ ୪୯, ରାଜସ୍ଥାନରେ ୪୬, ତେଲେଙ୍ଗାନାରେ ୫୫, ତାମିଲନାଡୁରେ ୩୪, କର୍ଣ୍ଣାଟକରେ ୩୧, ମଧ୍ୟପ୍ରଦେଶରେ ୯, ଓଡିଶାରେ ୮, ଆନ୍ଧ୍ରପ୍ରଦେଶରେ ୬, ପଶ୍ଚିମବଙ୍ଗରେ ୬, ହରିଆଣାରେ ୧୦, ଜମ୍ମୁ-କାଶ୍ମୀରରେ ୩, ଉତ୍ତରପ୍ରଦେଶରେ ୨, ଚଣ୍ଡିଗଡରେ ୩, ହିମାଚଳପ୍ରଦେଶରେ ୧, ଲଦାଖରେ ୧, ଗୋଆରେ ୧, ମଣିପୁରରେ ୧ ଓ ଉତ୍ତରାଖଣ୍ଡରେ ଜଣଙ୍କୁ ଚିହ୍ନଟ କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ୧୮୦ଜଣ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି ।
Powered by Froala Editor