ଜମିବନି ଜିରୋ ନାଇଟ୍ ସେଲିବ୍ରେସନ୍, ଫିକା ପଡ଼ିବ ନୂଆ ବର୍ଷ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍କୁ ନେଇ ସବୁଠି ଭୟର ବାତାବରଣ । ବିଶ୍ୱର ଅଧିକାଂଶ ଦେଶରେ ଏହା ଏବେ କାୟା ମେଲାଉଛି । ଭାରତରେ ମଧ୍ୟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ପାଖାପାଖି ୧୯ ରାଜ୍ୟରେ ଏହି ଭୂତାଣୁ ଚିହ୍ନଟ ହେଲାଣି । ସଂକ୍ରମଣ ଯେପରି ନବ୍ୟାପେ ସେଥିପାଇଁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କଲେଣି । କିଛି ରାଜ୍ୟ କଟକଣା ଜାରି କରି ସାରିଛନ୍ତି । ଜିରୋ ନାଇଟ୍ ସେଲିବ୍ରେସନ୍ ଓ ନୂଆ ବର୍ଷ ପାଳନ ଉପରେ ଲାଗିଛି କଟକଣା । ତେଣୁ ଏଥର ଏସବୁ ଫିକା ପଡ଼ିବା ଏକ ପ୍ରକାର ନିଶ୍ଚିତ ।
୧୦ ରାଜ୍ୟ ସରକାରଙ୍କ ପକ୍ଷରୁ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । ଦିଲ୍ଲୀ, ମହାରାଷ୍ଟ୍ର, ଆସାମ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ହରିୟାଣା, ଗୁଜରାଟ, ତାମିଲନାଡୁ, ଓଡ଼ିଶା ଆଦି ରାଜ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ହିମାଚଳପ୍ରଦେଶରେ ମଧ୍ୟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ତେଣୁ ଖୁବ୍ଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବା ଆଶା କରାଯାଉଛି ।
ଦିଲ୍ଲୀ ସରକାର ଡିସେମ୍ବର ୨୭ରୁ ରାତ୍ରକାଳୀନ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ରାତି ୧୧ ଟାରୁ ଭୋର ୫ ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି । ମହାରାଷ୍ଟ୍ର ସରକାର ରାତି ୯ଟାରୁ ସକାଳ ୬ଟା ମଧ୍ୟରେ ରାଜ୍ୟରେ ପାଞ୍ଚରୁ ଅଧିକ ଲୋକଙ୍କ ସମାବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କର୍ଣ୍ଣାଟକରେ ରାତ୍ରକାଳୀନ କର୍ଫ୍ୟୁ ଡିସେମ୍ବର ୨୮ରୁ କାର୍ଯ୍ୟକାରୀ ହେବ । ସେଠାରେ ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ କଟକଣା ଲାଗୁ ହେବ ।
ସେହିଭଳି ଉତ୍ତରପ୍ରଦେଶ ସରକାର ନୂଆବର୍ଷକୁ ଦୃଷ୍ଟିରେ ରଖି ଡିସେମ୍ବର ୨୫ରୁ ରାତ୍ରି କର୍ଫ୍ୟୁ ଲାଗୁ କରିଛନ୍ତି । ଏହା ରାତି ୧୧ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ଜାରି ରହିବ । ଆସାମ ସରକାର ରାତି ସାଢ଼େ ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଘୋଷଣା କରିଛନ୍ତି । ଡିସେମ୍ବର ୨୫ରୁ ହରିୟାଣାରେ ରାତ୍ରି କର୍ଫ୍ୟୁ ଲାଗୁ ହୋଇଛି । ସେଠାରେ ରାତି ୧୧ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ପ୍ରତିବନ୍ଧକ ଜାନୁଆରୀ ୫ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ମଧ୍ୟପ୍ରଦେଶ ସରକାର ମଧ୍ୟ ରାତ୍ରି କର୍ଫ୍ୟୁ ଲାଗୁ କରିଛନ୍ତି । ରାତି ୧୧ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ଏହା ଜାରି ରହିବ । ଗୁଜରାଟରେ ଲାଗୁ ହୋଇଥିବା ରାତ୍ରିକାଳୀନ କର୍ଫ୍ୟୁ ଅହମ୍ମଦାବାଦ, ସୁରଟ, ରାଜକୋଟ, ବଡ଼ୋଦରା, ଜୁନାଗଡ, ଜାମନଗର, ଭାବନଗର ଏବଂ ଗାନ୍ଧିନଗର ଆଦି ସହରରେ ଦୁଇ ଘଣ୍ଟା ବୃଦ୍ଧି କରାଯାଇଛି । ରାତି ୧୧ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଏହି କଟକଣା ଲାଗିଛି ।
ଓଡ଼ିଶାରେ ମଧ୍ୟ ନୂଆ ବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ୨୫ ଡିସେମ୍ବରରୁ ୨ଜାନୁଆରୀ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ତାମିଲନାଡୁ ସରକାର ଡିସେମ୍ବର ୧୪ରୁ ଚେନ୍ନାଇର ସମସ୍ତ ବେଳାଭୂମିରେ ନୂଆ ବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ସଂକ୍ରମଣକୁ ରୋକିବା ପାଇଁ ଏହି ପ୍ରତିବନ୍ଧକ ଘୋଷଣା କରାଯାଇଛି । ହୋଟେଲ, କ୍ଲବ, ରେସ୍ତୋରାଁ, ପାର୍କ, କନଭେନଶନ ହଲ, କଲ୍ୟାଣ ମଣ୍ଡପ ଏବଂ ଅନ୍ୟାନ୍ୟ ସ୍ଥାନରେ ରାତିର ସମାରୋହ ଅନୁଷ୍ଠିତ ହେବ ନାହିଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି । ସେହିପରି ନୂଆ ବର୍ଷର ଉତ୍ସବକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଏହାକୁ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଥିବା ଜଣାଯାଇଛି ।
Powered by Froala Editor