ଆଜି ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ଵର : ଆଜି ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ । ପ୍ରତି ବ୍ଲକ ଓ ଜିଲ୍ଲା ମୁଖ୍ୟାଳୟରେ ବିଜେଡି କର୍ମୀଙ୍କୁ ଏକାଠି କରି ବଡ ସଭା ଆୟୋଜନ କରିବାକୁ ଦଳ ଦେଇଛି ନିର୍ଦ୍ଦେଶ । ସବୁ ସ୍ଥାନରେ ବିଧାୟକ, ସାଂସଦ ଓ ଅନ୍ୟ ଛାମୁଆ ନେତା ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ପରିଚାଳନା କରିବେ । ଖୋଦ୍ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଉପସ୍ଥିତ ରହିବେ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ପ୍ରତିଷ୍ଠା ଦିବସକୁ ବ୍ୟାପକ ଆକାରରେ ପାଳନ କରିବାକୁ ଗ୍ରାଣ୍ଡ ଆୟୋଜନ କରିଛି ଦଳ।
ରବିବାର ଦିନ ନେତା କର୍ମୀଙ୍କ ଗହଣରେ ପ୍ରତିଷ୍ଠା ଦିବସ ପାଳିବ ଦଳ । ଏହି ଅବସରରେ କିଭଳି ସରକାରଙ୍କ ସମସ୍ତ ଜନହିତକର କାର୍ୟ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚିବ ସେନେଇ କର୍ମୀଙ୍କ କାନରେ ମନ୍ତ୍ର ଫୁଙ୍କିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷ କରି ଗତ କିଛି ଦିନ ଭିତରେ ବିଭିନ୍ନ ବର୍ଗଙ୍କ ପାଇଁ ସରକାର ଘୋଷଣା କରିଥିବା ଆର୍ଥିକ ସହାୟତା ଠାରୁ ଆରମ୍ଭ କରି ବିଭିନ୍ନ ସ୍କିମରେ ଲୋକେ କିଭଳି ଉପକୃତ ହେଉଛନ୍ତି ତାହା ଭୋଟରଙ୍କୁ ବୁଝାଇବାକୁ ଦଳର ନେତା ଓ କର୍ମୀଙ୍କୁ ନବୀନ ପରାମର୍ଶ ଦେବେ ବୋଲି କୁହାଯାଉଛି ।
Powered by Froala Editor