ଜାମ୍ମୁ-କାଶ୍ମୀରକୁ ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରଦୂତ
ଶ୍ରୀନଗର: ଆମେରିକା ରାଷ୍ଟ୍ରଦୂତ ସର୍ଗିଓ ଗୋର ଜାମ୍ମୁ-କାଶ୍ମୀର ଗସ୍ତ କରିଛନ୍ତି। ବୁଧବାର ସେ ଶ୍ରୀନଗରରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଭେଟି ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କାଶ୍ମୀରକୁ ଭାରତର ଗୁରୁତ୍ବପୂର୍ଣ୍ଣ ଅଂଶ ବୋଲି କହିଛନ୍ତି। ଖାଲି ସେତିକି ନୁହେଁ, ଏହି କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ ପାଇଁ ଆମେରିକା ନିଜ ନାଗରିକଙ୍କୁ ଜାରି କରିଥିବା ଯାତ୍ରା କଟକଣା ଉପରେ ପୁନର୍ବିଚାର କରାଯିବ ବୋଲି ସେ କହିଛନ୍ତି। ଏହି ମନ୍ତବ୍ୟ ଆମେରିକାର ପରିବର୍ତ୍ତିତ ମନୋଭାବକୁ ଦର୍ଶାଉଛି। ଆମେରିକା ସହ ଭାରତର ସମ୍ପର୍କ ସୁଧାରିବା ଦିଗରେ ଏହାକୁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି। ‘ଅପରେସନ ସିନ୍ଦୂର’ ପରଠାରୁ ଭାରତ-ଆମେରିକା ସମ୍ପର୍କରେ ତିକ୍ତତା ଲାଗି ରହିଥିଲା। ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଭାରତ ବିରୋଧୀ ମନ୍ତବ୍ୟ ଦେଇ ଚାଲିଥିଲେ। କେତେବେଳେ ଶୁଳ୍କ ତ ଆଉ କେତେବେଳେ ଭାରତୀୟ ନାଗରିକଙ୍କୁ ପ୍ରତ୍ୟର୍ପଣ କରି ସମ୍ପର୍କରେ ଭଟ୍ଟା ସୃଷ୍ଟି କରିଥିଲେ।
ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଆମେରିକୀୟ ରାଷ୍ଟ୍ରଦୂତ ଭାବେ ଜାମ୍ମୁ-କାଶ୍ମୀର ଗସ୍ତରେ ଯାଇ ଗୋର୍ କହିଛନ୍ତି ଯେ ଏଠାକୁ ଆସି ଖୁସି ଲାଗୁଛି। ଓମାରଙ୍କ ସହ ବୈଠକ ବହୁତ ଭଲ ହୋଇଛି। ଏହା ଏକ ବହୁତ ସୌହାର୍ଦ୍ୟପୂର୍ଣ୍ଣ ଆଲୋଚନା ଥିଲା। ସମ୍ପର୍କକୁ ଆଗକୁ ବଢ଼ାଇବାକୁ ଚାହୁଁଛୁ। ଯାତ୍ରା କଟକଣାକୁ ନେଇ ଗୌର କହିଛନ୍ତିି ଯେ ଏହି ସ୍ଥାନକୁ ଯାତ୍ରା ନେଇ ଆମେରିକା ଚେତାବନୀ ଜାରି କରିଥିଲା। ଆଜି କିଛି ବଡ଼ ଘୋଷଣା କରିବି ନାହିଁ, କିନ୍ତୁ ଏଭଳି କିଛି ଅଛି ଯାହା ଉପରେ ଆମେ ବିଚାର କରିବୁ। ଜାମ୍ମୁ-କାଶ୍ମୀରକୁ ସୁରକ୍ଷା ବ୍ୟବସ୍ଥାକୁ ସେ ପ୍ରଶଂସା କରିଛନ୍ତି। ଆଗକୁ ଏହା ଆହୁରି ସୁରକ୍ଷିତ ହେବ ବୋଲି ଆଶା। ଅଧିକରୁ ଅଧିକ ଆମେରିକୀୟ ଏଠାକୁ ଆସିବାକୁ ଚାହିଁବେ ବୋଲି ମୋର ଆଶା। ଅନ୍ୟପଟେ ଏହି ବୈଠକ ବହୁତ ଭଲ ଥିଲା ବୋଲି ଓମାର ଅବଦୁଲ୍ଲା କହିଛନ୍ତି।
ଗୋରଙ୍କ ଗସ୍ତକୁ ନେଇ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ଆମେରିକା ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଛି।
Powered by Froala Editor