ସୁରକ୍ଷିତ ତିହାର ଜେଲ୍ର ସୁରକ୍ଷାକୁ ନେଇ ପ୍ରଶ୍ନ : ୮ ଦିନରେ ମଲେଣି ୫ କଏଦୀ
ଦିଲ୍ଲୀ ତିହାର ଜେଲରେ ଶୁକ୍ରବାର ଆଉ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ଫଳସ୍ବରୂପ ଗତ ୮ ଦିନ ମଧ୍ୟରେ ୫ ଜଣ କଏଦୀଙ୍କ ମୃତ୍ୟୁ ହୋଇସାରିଲାଣି। ଜେଲ ପରିସରରେ ଲଗାତାର ଭାବେ କଏଦୀଙ୍କ ମୃତ୍ୟୁ ଘଟୁଥିବାରୁ କର୍ତ୍ତୃପକ୍ଷଙ୍କ ଚିନ୍ତାର କାରଣ ପାଲଟିଛି । ଶୁକ୍ରବାର ମୃତ୍ୟୁ ହୋଇଥିବା କଏଦୀଙ୍କ ନାମ ହେଉଛି ବିକ୍ରମ। ତେବେ ଅସୁସ୍ଥତା କାରଣରୁ ବିକ୍ରମଙ୍କ ମୃତ୍ୟୁ ହୋଇଥିବା ଜେଲ ତରଫରୁ ସୂଚନା ଦିଆଯାଇଛି । ସେ ଲୁଟ୍, ପକେଟମାର୍ ଭଳି ମାମଲାରେ ଜେଲରେ ଥିଲା । ଦୀର୍ଘଦିନ ଧରି ସେ ତିହାର ଜେଲର ସେଲ ନମ୍ବର ୩ରେ ସଜା କାଟୁଥିଲା । କିନ୍ତୁ ହଠାତ୍ ସନ୍ଦେହଜନକ ଅବସ୍ଥାରେ ତାହାର ମୃତ୍ୟୁ ଘଟିଛି । ଅତ୍ୟଧିକ ଥଣ୍ଡା ମୃତ୍ୟୁର ଆଉ ଏକ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ପ୍ରଶାସନ ମଧ୍ୟ ଏଭଳି ମୃତ୍ୟୁ ଘଟଣାକୁ ନେଇ ଚିନ୍ତାର ପଡିଛନ୍ତି । ତେବେ ମୃତ୍ୟୁର କାରଣ କଣ ସେ ନେଇ ଅଧିକ ତଦନ୍ତ ଜାରିରଖିଛି ପୋଲିସ । ମୃତକଙ୍କ ଶରୀରରେ କୌଣସି ପ୍ରକାର କ୍ଷତର ଚିହ୍ନ ନଥିଲା । ତେବେ କେଉଁ କାରଣ ଜେଲରେ ମୃତ୍ୟୁ ହୋଇଛି ତାହା ପୋଷ୍ଟ ମର୍ଟନ ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ ।
ସୂଚନାଯୋଗ୍ୟ, ଦିଲ୍ଲୀର ତିହାର ଜେଲକୁ ଦେଶର ସବୁଠାରୁ ସୁରକ୍ଷିତ ଜେଲମାନଙ୍କ ମଧ୍ୟରେ ଗଣାଯାଏ । ସେଠାରେ ରହୁଥିବା କଏଦୀଙ୍କୁ ଦିଆଯାଉଥିବା ସୁବିଧାସୁଯୋଗ ଏବଂ ସୁରକ୍ଷା ବ୍ୟବସ୍ଥା ଅନ୍ୟ ଜେଲମାନଙ୍କ ତୁଳନାରେ ବେଶ ଉନ୍ନତମାନର । କିନ୍ତୁ ଗତ ୮ଦିନ ମଧ୍ୟରେ ୫ଜଣ କଏଦୀଙ୍କ ମୃତ୍ୟୁ ଜେଲର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Powered by Froala Editor