ସରକାରୀ ଚାକିରି ପାଇଲେ ଯୋଡ଼ା ଭାଇ : ଶରୀର ଦେଖି ହସ୍ପିଟାଲରେ ଛାଡ଼ି ଚାଲିଯାଇଥିଲେ ବାପା, ମା’
ଦୃଢ ଇଚ୍ଛା ଶକ୍ତି ମଣିଷକୁ ସଫଳତା ଦିଏ । ଯାହାର ଉଦାହରଣ ପାଲଟିଛନ୍ତି ପଞ୍ଜାବର ଦୁଇ ଯାଆଁଳା ଭାଇ ସୋହନ ଏବଂ ମୋହନ । ଯେଉଁ ପୁଅଙ୍କୁ ଜନ୍ମ ପରେ ବାପା ମା’ ଛାଡି ଚାଲିଯାଇଥିଲେ ସେମାନେ ଆଜି ସରକାରୀ ଚାକିରି ପାଇଛନ୍ତି । ମାସିକ ୨୦ ହଜାର ବେତନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏସବୁ ସେମାନଙ୍କ ପାଇଁ ଦୟା ନୁହେଁ । ବରଂ ତାଙ୍କ ଯୋଗ୍ୟତା ପାଇଁ ସେମାନଙ୍କୁ ଏହି ଚାକିରି ମିଳିଛି ।
ଏ ବିଷୟରେ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଯେ, ୧୯ ବର୍ଷୀୟ ଯାଆଁଳା ଭାଇ ସୋହନ ଏବଂ ମୋହନ ପଞ୍ଜାବର ଅମୃତସରର ପଞ୍ଜାବ ଷ୍ଟେଟ ପାୱାର କର୍ପୋରେସନ୍ ଲିମିଟେଡ୍ (PSPCL) ରେ ଚାକିରି ପାଇଛନ୍ତି। ଡିସେମ୍ବର ୨୦ରୁ ସେମାନେ କାମ ଆରମ୍ଭ କରିଛନ୍ତି । ଷ୍ଟେଟ ପାୱାର କର୍ପୋରେସନରେ ଚାକିରି ପାଇବା ପରେ ଉଭୟ ବହୁତ ଖୁସି ଅଛନ୍ତି।
ସେମାନଙ୍କୁ ଏହି ସୁଯୋଗ ଦେଇଥିବାରୁ ଉଭୟ ଭାଇ ପଞ୍ଜାବ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମାନେ କହିଛନ୍ତି ଯେ ‘ଚାକିରୀ ପାଇ ଆମେ ବହୁତ ଖୁସି ଏବଂ ଆମେ ଡିସେମ୍ବର ୨୦ରୁ ଅଫିସରେ ଯୋଗ ଦେଇଛୁ। ଷ୍ଟେଟ ପାୱାର କର୍ପୋରେସନ୍ ଲିମିଟେଡର ସବଷ୍ଟେସନ୍ ଜୁନିୟର ଇଞ୍ଜିନିୟର ରବିନ୍ଦର କୁମାର କହିଛନ୍ତି ଯେ ସୋହନଙ୍କୁ ମୋହନ ବୈଦ୍ୟୁତିକ ଉପକରଣର ଯତ୍ନ ନେବାରେ ସାହାଯ୍ୟ କରନ୍ତି । ଏହି ଚାକିରି ସୋହନଙ୍କୁ ଦିଆଯାଇଛି, ଯେଉଁଥିରେ ମୋହନ ତାଙ୍କୁ ସାହାଯ୍ୟ କରନ୍ତି । ସେ କହିଛନ୍ତି ଯେ ସୋହନଙ୍କର ଏହି କାର୍ଯ୍ୟର ସମ୍ପୂର୍ଣ୍ଣ ଅଭିଜ୍ଞତା ଅଛି, ତେଣୁ ତାଙ୍କୁ ଏହି ଚାକିରି ପାଇଁ ମନୋନୀତ କରାଯାଇଛି ।
ସୂଚନା ଅନୁଯାୟୀ, ଯାଆଁଳା ଭାଇ ୧୪, ଜୁନ୍ ୨୦୦୩ ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଜନ୍ମରୁ ତାଙ୍କ ଶରୀର ସଂଲଗ୍ନ ହୋଇଛି । ୨ଟି ହାର୍ଟ, ୨ ଯୋଡ଼ା ବାହୁ ଥିବାବେଳେ ୨ ଯୋଡ଼ା କିଡନୀ ଓ ୨ଟି ସ୍ପାଇନାଲ୍ କଡ୍ ରହିଛି। ହେଲେ ସେମାନଙ୍କର ଗୋଟିଏ ଲିଭର ରହିଛି। ଜନ୍ମ ପରେ ସୋହନ ଏବଂ ମୋହନଙ୍କୁ ସେମାନଙ୍କ ପିତାମାତା ଛାଡି ପଳାଇଥିଲେ । ଏହାପରେ ସେମାନଙ୍କୁ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସକୁ ନିଆଯାଇଥିଲା। ଯେଉଁଠାରେ ଏମ୍ସର ଡାକ୍ତରମାନେ ଅସ୍ତ୍ରୋପଚାରର ଫଳାଫଳ ସାଂଘାତିକ ହେବାର ଆଶଙ୍କା ଥିବାରୁ ସେମାନଙ୍କୁ ଅଲଗା ନକରିବାକୁ ନିଷ୍ପତ୍ତି ନେଇଥିଲେ ।
ବାପା ମା’ ଛାଡ଼ି ଚାଲି ଯାଇଥିବାରୁ ଏମ୍ସ ପକ୍ଷରୁ ସର୍ବଭାରତୀୟ ପିଙ୍ଗାଲୱାରା ଚ୍ୟାରିଟେବୁଲ ଟ୍ରଷ୍ଟକୁ ଯୋଗାଯୋଗ କରାଯାଇଥିଲା। ଏହି ଟ୍ରଷ୍ଟରେ ରହି ଉଭୟ ବଡ଼ ହୋଇଥିଲେ। ସେଠାରେ ଆଇଟିଆଇରୁ ଇଲେକ୍ଟ୍ରିସିଆନ ପାଠ୍ୟକ୍ରମରେ ଡିପ୍ଲୋମା ଡିଗ୍ରୀ ହାସଲ କରିଥିଲେ। ଏହାପରେ ଦୁହେଁ ଆତ୍ମନିର୍ଭର ହେବାକୁ ଉଦ୍ୟମ ଜାରି ରଖିଥିଲେ। ଏବେ ସେମାନେ ସରକାରୀ ଚାକିରି ମଧ୍ୟ ପାଇବାକୁ ସକ୍ଷମ ହୋଇଛନ୍ତି।
Powered by Froala Editor