ବୟଲର ଫାଟି କେମିକାଲ ୟୁନିଟ୍ରେ ବିସ୍ଫୋରଣ : ୪ ମୃତ

ଗୁଜରାଟର ଭଦୋଦରା ଅନ୍ତର୍ଗତ ମାକାରପୁର ଅଞ୍ଚଳରେ ଥିବା ଗୋଟିଏ କେମିକାଲ ୟୁନିଟରେ ଭୟଙ୍କର ବିସ୍ଫୋରଣ ଘଟିଛି। କେମିକାଲ ୟୁନିଟର ବୟଲର ଫାଟି ଜଣେ ଚାରିବର୍ଷର ବାଳିକା ସହିତ ୪ ଜଣ ମୃତ୍ୟୁବରଣ କରିଛନ୍ତି ଓ ୧୧ ଜଣ ଆହତ ହୋଇଛନ୍ତି ବୋଲି ପୁଲିସ୍ କହିଛି । ମୃତକଙ୍କ ମଧ୍ୟରେ ଜଣେ ୬୫ ବର୍ଷୀୟ ବୃଦ୍ଧ, ଜଣେ କିଶୋର ଓ ଜଣେ ୩୦ ବର୍ଷୀୟା ମହିଳା ଅଛନ୍ତି ।
ସୂଚନା ଅନୁଯାୟୀ, ଆଜି ସକାଳ ୧୦ରେ ଭଦୋଦରା ରେଲୱେ ଓଭରବ୍ରିଜ୍ ନିକଟରେ ଥିବା କାଣ୍ଟୋନ ଲ୍ୟାବ ପ୍ରାଇଭେଟ ଲିଃରେ କାମ ଚାଲିଥିବା ବେଳେ ହଠାତ ବଡ଼ଧରଣର ବିସ୍ଫୋରଣ ହୋଇଥିଲା। ଏହାପରେ ୟୁନିଟ୍ରେ ନିଆଁ ଲାଗି ଯାଇଥିଲା।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଲ୍ୟାବର ୟୁନିଟ୍ ପୂରା ଛିନଛତ୍ର ହୋଇଯାଇଥିଲା। ସେହିପରି ସ୍ଥାନୀୟ ଅଞ୍ଚଳରେ ରହୁଥିବା କିଛି ଲୋକଙ୍କ ଘର ମଧ୍ୟ ବିସ୍ଫୋରଣ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ପରେ କିଛି ଘର ମଧ୍ୟ ଦୋହଲିଥିବା ସ୍ଥାନୀୟ ଲୋକ କହିଛନ୍ତି। ବିସ୍ଫୋରଣ ଖବର ପାଇ ଭଦୋଦରା ଅଗ୍ନିଶମ ବାହିନୀ ଓ ଜରୁରିକାଳୀନ ଟିମ୍ର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ବିସ୍ଫୋରଣ ସ୍ଥଳରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ। ଏଥିସହ ପ୍ରଥମେ ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି।
ମାକାରପୁର ପୁଲିସ ଷ୍ଟେସନର ପୁଲିସ ଇନ୍ସପେକ୍ଟର ସାଜିଦ୍ ବାଲୋଚ୍ କହିଛନ୍ତି, ”ମୃତକ ଓ ଆହତଙ୍କ ମଧ୍ୟରେ କାରଖାନାର କର୍ମଚାରୀ ଓ କାରଖାନା ଦେଇ ଯାଉଥିବା ଲୋକ ଅଛନ୍ତି । ବିସ୍ଫୋରଣର ତଦନ୍ତ କରିବା ପାଇଁ ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚିଛି ।“
Powered by Froala Editor