ଧର୍ମାନ୍ତରୀକରଣ ବିରୋଧୀ ବିଲ୍ ପାରିତ କଲେ କର୍ଣ୍ଣାଟକ ସରକାର
କର୍ଣ୍ଣାଟକ ବିଧାନସଭାରେ ଗୁରୁବାର ଦିନ ବିବାଦୀୟ ଧର୍ମାନ୍ତରୀକରଣ ବିରୋଧୀ ବିଲ୍ ପାରିତ ହୋଇଛି। ଯଦି କେହି ଧର୍ମ ବଦଳାଇବାକୁ ଚାହୁଁଛନ୍ତି, ତା’ହେଲେ ସେ ସ୍ୱେଚ୍ଛାକୃତ ଭାବେ ଏପରି କରିପାରିବେ। ଏଥିପାଇଁ କେବଳ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଆଗରୁ ଅବଗତ କରାଇବାକୁ ପଡ଼ିବ। କିନ୍ତୁ ବଳ ପୂର୍ବକ କିମ୍ବା ପ୍ରଲୋଭିତ କରି ଧର୍ମ ବଦଳାଇବାକୁ ଘଟଣାକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ। ସମ୍ବିଧାନରେ ଥିବା ପ୍ରାବଧାନକୁ ଦୃଷ୍ଟିରେ ରଖି ଏହି ବିଲ୍ ପ୍ରସ୍ତୁତ କରାଯାଇଛି। ଧର୍ମ ପରବିର୍ତ୍ତନକୁ ସମ୍ବିଧାନରେ ବେଆଇନ କୁହାଯାଇଥିଲେ ହେଁ କୌଣସି ଦଣ୍ଡ ବିଧାନର ବ୍ୟବସ୍ଥା ନାହିଁ। ତେଣୁ କର୍ଣ୍ଣାଟକ ସରକାର ଦଣ୍ଡ ଦେବାର ବ୍ୟବସ୍ଥା କରିଥିବା ସେ କହିଛନ୍ତି।
ଯେଉଁମାନେ ଧର୍ମ ପରିବର୍ତ୍ତନ କରାଇବାରେ ଲିପ୍ତ ଅଛନ୍ତି ସେମାନଙ୍କୁ ଜେଲ ଦଣ୍ଡ ଦେବା ପାଇଁ ଧର୍ମାନ୍ତରୀକରଣ ବିଲରେ ବ୍ୟବସ୍ଥା ରହିଛି। ଯଦି କେହି ଏହି ନିୟମର ଉଲଂଘନ କରେ, ତେବେ ଏହି ବିଲରେ ୨୫,୦୦୦ ଟଙ୍କା ଜରିମାନା ସହିତ ପାଞ୍ଚ ବର୍ଷ କାରାଦଣ୍ଡର ବ୍ୟବସ୍ଥା ରହିଛି। ବିଲ୍ରେ ଆହୁରି କୁହାଯାଇଛି ଯେ, ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିବା ଲୋକମାନଙ୍କୁ ମାସକ ପୂର୍ବରୁ ନୋଟିସ ଦେବାକୁ ପଡ଼ିବ। ଜିଲ୍ଲା ମାଜିଷ୍ଟ୍ରେଟ କିମ୍ବା ଆଡିସନାଲ ମାଜିଷ୍ଟ୍ରେଟସ୍ତରର ଅଫିସରଙ୍କୁ ହିଁ ଏପରି ନୋଟିସ ଦିଆଯାଇ ପାରିବ। ନୋଟିସ ପାଇଥିବା ଅଧିକାରୀ ପୁଲିସ୍ ଦ୍ୱାରା ଏହାର ଯାଞ୍ଚ କରିବେ। ଏହାପରେ ଧର୍ମ ପରିବର୍ତ୍ତନ ପାଇଁ ଅନୁମତି ଦିଆଯାଇପାରିବେ।
କେବଳ ଧର୍ମ ପରିବର୍ତ୍ତନ ଉଦ୍ଦେଶ୍ୟରେ ହୋଇଥିବା ବିବାହକୁ ମଧ୍ୟ ଅବୈଧ ଘୋଷଣା କରାଯିବ ବୋଲି ଦ କର୍ଣ୍ଣାଟକ ପ୍ରେଟେକ୍ସନ ଅଫ୍ ରାଇଟ ଟୁ ଫ୍ରିଡମ ଅଫ ରିଲିଜିୟନ ବିଲ୍-୨୦୨୧ରେ ଉଲ୍ଲେଖ କରାଯାଇଛି। ତେବେ ବିଲ୍ର ସେକ୍ସନ ୩ରେ କୁହାଯାଇଛି ଯେ, ଯଦି କେହି ନିଜ ଧର୍ମକୁ ଫେରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନଙ୍କ ବିରୋଧରେ ଏହି ନିୟମ ଲାଗୁ ହେବନି।
ପ୍ରସ୍ତାବିତ ଆଇନରେ ନାବାଳିକା/ନବାଳକ, ମହିଳା କିମ୍ବା ଅନୁସୂଚିତ ଜାତି/ଜନଜାତିର ଲୋକମାନଙ୍କୁ ଯଦି କେହି ଧର୍ମାନ୍ତୀକରଣ କରିବାକୁ ପ୍ରବର୍ତ୍ତାଇବ, ତା’ହେଲେ ସେମାନଙ୍କୁ ଅତିକମରେ ୩ ବର୍ଷ ଜେଲ ଦଣ୍ଡ ମିଳିବ। ଏହାକୁ ୧୦ ବର୍ଷ ଯାଏ ବୃଦ୍ଧି ମଧ୍ୟ କରାଯାଇପାରିବ। ଏହି କ୍ଷେତ୍ରରେ ଜରିମାନା ରାଶି ୫୦ ହଜାର ଟଙ୍କାରୁ କମ ହେବନି ବୋଲି କୁହାଯାଇଛି।
ଅନେକ ସ୍ଥାନରେ ଧର୍ମ ପରିବର୍ତ୍ତନ କରିବା ନେଇ ଦଙ୍ଗା ହେବା ଭଳି ପରିସ୍ଥିତି ଉପୁଜୁଛି । ସାମୁହିକ ଧର୍ମାନ୍ତରୀକରଣ ବ୍ୟତୀତ ବିବାହ ପରେ ମଧ୍ୟ ମହିଳାଙ୍କର ଧର୍ମ ବଦଳାଇ ଦିଆଯାଉଥିବା ଘଟଣା ସାମ୍ନାକୁ ଆସୁଛି । ଏହାକୁ ରୋକିବା ପାଇଁ ଏହି ବିଲ୍ ପାରିତ କରାଯାଇଛି।
Powered by Froala Editor