ଗିରଫ ହେଲେ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଶର୍ମିଷ୍ଠା ପାନୋଲି

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଶର୍ମିଷ୍ଠା ପାନୋଲିଙ୍କୁ ଗିରଫ କରିଛି କଲକାତା ପୁଲିସ। ଅପରେସନ ‘ସିନ୍ଦୂର’ ଉପରେ ବଲିଉଡ୍ ଅଭିନେତାମାନେ ନୀରବ ରହିବା କାରଣକୁ ନେଇ ଶର୍ମିଷ୍ଠା ଏକ ବିବାଦୀୟ ଭିଡିଓ ପୋଷ୍ଟ କରିଥିଲେ, ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏ ନେଇ କଲକାତା ପୁଲିସ ନିକଟରେ ଏକ ଏତଲା ରୁଜୁ ହୋଇଥିଲା, ଯାହାକୁ ଆଧାର କରି ପୁଲିସ ତାଙ୍କୁ ଶୁକ୍ରବାର ରାତିରେ ଗୁରୁଗ୍ରାମରୁ ଗିରଫ କରିଛି।
ଶର୍ମିଷ୍ଠା ଜଣେ ଆଇନ ଛାତ୍ରୀ। ସେ ପୁଣେରେ ଆଇନ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ପୁଲିସ ସୂଚନା ଅନୁସାରେ, ପାନୋଲି ଏକ ଭିଡିଓ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଥିଲେ। ଅପରେସନ ସିନ୍ଦୂରକୁ ନେଇ ହିନ୍ଦୀ ଚଳଚ୍ଚିତ୍ର ଅଭିନେତାମାନେ ନୀରବ ରହିଥିବା ସେ ଅଭିଯୋଗ କରିଥିଲେ। ଏହା ପରେ ତାଙ୍କୁ ବିଭିନ୍ନ ମହଲରେ ବିରୋଧ କରାଯିବାରୁ ସେ ଭିଡିଓଟିକୁ ହଟାଇ ଦେବା ସହିତ କ୍ଷମାପ୍ରାର୍ଥନା କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କ ନାମରେ ଏତଲା ରୁଜୁ ହୋଇସାରିଥିଲା। ପୁଲିସ ତାଙ୍କୁ ବାରମ୍ବାର ନୋଟିସ ଜାରି କରି ହାଜର ହେବା ଲାଗି କହିଥିଲା। କିନ୍ତୁ ସେ ହାଜର ନ ହେବାରୁ କୋର୍ଟଙ୍କ ଅନୁମତି କ୍ରମେ ପୁଲିସ ଗୁରୁଗ୍ରାମରୁ ତାଙ୍କୁ ଗିରଫ କରିଛି।
Powered by Froala Editor