ଓମିକ୍ରନ ପାଇଁ ଆସିଲା ନୂଆ କିଟ

ନୂଆଦିଲ୍ଲୀ: ଆଇଆଇଟି ଦିଲ୍ଲୀର କୁସୁମ ସ୍କୁଲ ଅଫ ବାୟୋଲୋଜିକାଲ ସାଇନସେସ ପକ୍ଷରୁ ଏକ ଆରଟିପିସିଆର ଭିତ୍ତିକ ପରୀକ୍ଷା କିଟ ବିକାଶ କରାଯାଇଛି । ଏହା କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ (ବି ୧.୧.୫୨୯.୧) ସଂକ୍ରମଣ ସମ୍ପର୍କରେ ୯୦ ମିନିଟ ମଧ୍ୟରେ ସୂଚନା ଦେବ । ବର୍ତ୍ତମାନ ସୁଦ୍ଧା ଦେଖାଦେଇଥିବା କରୋନା ଭୂତାଣୁ ଏବଂ ଓମିକ୍ରନ ଭୂତାଣୁ ମଧ୍ୟରେ ହେଉଥିବା ନିର୍ଦ୍ଧିଷ୍ଟ ରୂପାନ୍ତରଣକୁ ଭିତ୍ତି କରି ଏହି ପରୀକ୍ଷା କରାଯାଉଛି । ସିନ୍ଥେଟିକ ଡିଏନଏ ଫ୍ରାଗମେଣ୍ଟକୁ ଉପଯୋଗ କରି ଏହା କରାଯାଉଛି । ବିଶ୍ୱରେ ବର୍ତ୍ତମାନ ଓମିକ୍ରନ ଭାରିଆଣ୍ଟର କରୋନା ଭୂତାଣୁ ଚିହ୍ନଟ ପାଇଁ ନୂଆ ପିଢ଼ିର ସିକ୍ୱେନ୍ସିଂ ପଦ୍ଧତି ଅବଲମ୍ବନ କରାଯାଉଛି । ଏହି ପରୀକ୍ଷା ରିପୋର୍ଟ ଆସିବା ପାଇଁ ୩ ଦିନ ସମୟ ଲାଗୁଛି । କିନ୍ତୁ ଆରଟିପିସିଆର ଭିତ୍ତିକ ଏହି ପରୀକ୍ଷା ଦ୍ୱାରା ୯୦ ମିନିଟ ମଧ୍ୟରେ ଓମିକ୍ରନ ଭାରିଆଣ୍ଟର ସୂଚନା ମିଳିପାରିବ । ଓମିକ୍ରନ ଆକ୍ରାନ୍ତ ରୋଗୀଙ୍କ ତ୍ୱରିତ ଚିହ୍ନଟ କ୍ଷେତ୍ରରେ ଏହି କିଟ୍ ବ୍ୟବହାର କରାଯାଇ ଏକାନ୍ତବାସରେ ରହିବା ପାଇଁ ପରାମର୍ଶ ଦିଆଯାଇପାରିବ ।
Powered by Froala Editor