ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସ୍ଥଗିତ, ପୁନର୍ବିଚାର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ପୁରସ୍କାର ଚୟନ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ପୁରସ୍କାର ପ୍ରଦାନ ପାଇଁ ପୁନର୍ବିଚାର ଓ ଚୟନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ୨୭ଟି ଯାକ ବର୍ଗରେ ପୁରସ୍କାର ଚୟନର ପୁନର୍ବିଚାର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।
ସୂଚନା ଯେ, ଆସନ୍ତାକାଲି ଏହି ପୁରସ୍କାର ପ୍ରଦାନ କରାଯିବାର ଥିଲା । ପୁରସ୍କାର ଚୟନ ଉପରେ ଅସନ୍ତୋଷ ପ୍ରକାଶ କରି ଛବିରାଣୀ ଫିଲ୍ମର ନିର୍ଦ୍ଦେଶକ ବବି ଇସଲାମ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ତାଙ୍କ ଅଭିଯୋଗ ମୁତାବକ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତାଲିକାରେ ସ୍ଥାନ ପାଇଛି ଦୁଇ ଚଳଚ୍ଚିତ୍ର ‘ଖୁସି’ ଓ ‘ଗୋଲମାଲ’ । ଏହି ଦୁଇଟି ଯାକ ଚଳଚ୍ଚିତ୍ର ବାହାର ଭାଷାରେ ନିର୍ମିତ ଚଳଚ୍ଚିତ୍ରର ରିମେକ୍। ଯେଉଁକାରଣରୁ ଓଡ଼ିଆ ସିନେମାର ମୌଳିକତା ନଷ୍ଟ ହୋଇଛି। ତେବେ ଏସବୁ ପ୍ରସଙ୍ଗକୁ ନେଇ ସେ ହାଇକୋର୍ଟରେ ପିଟିସନରେ ଜଣାଇଥିଲେ। ଏହି ମାମଲାର ଆଜି ପ୍ରାରମ୍ଭିକ ଶୁଣାଣି ଥିଲା। କୋର୍ଟ ଏ ନେଇ ସଂସ୍କୃତି ବିଭାଗର ସଚିବ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କ ଠାରୁ ଜବାବ ମାଗିଥିଲେ। ସେମାନେ ଯେଉଁ ଜବାବ ଦାଖଲ କରିଥିଲେ ତାହା ପର୍ଯ୍ୟାପ୍ତ ହେଲା ନାହିଁ। ତେଣୁ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଜାନୁଆରୀ ୭ ତାରିଖ ଧାର୍ଯ୍ୟ କରିଛନ୍ତି।
Powered by Froala Editor