ଯବାନଙ୍କ ବସ୍ ଉପରକୁ ଆତଙ୍କୀଙ୍କ ଗୁଳିମାଡ଼
ସୋମବାର ସନ୍ଧ୍ୟାରେ ସେନା ଯବାନ ଯାଉଥିବା ବସ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଉକ୍ତ ଭ୍ୟାନ୍ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୨ ଜଣ ସଶସ୍ତ୍ର ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିବା ସହ ୧୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଯବାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବା ଜଣାପଡିଛି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ବସରେ ଯବାନମାନେ ଶ୍ରୀନଗର ଉପକଣ୍ଠରେ ଥିବା ଜେୱାନ ସ୍ଥିତ ପୋଲିସ୍ ଟ୍ରେନିଂ କଲେଜ ଯାଉଥିଲା । ଜାମ୍ମୁ କାଶ୍ମୀର ସଶସ୍ତ୍ର ପୋଲିସର ନବମ ବାଟାଲିୟନର ଯବାନମାନେ ଏହି ବସ୍ରେ ଯାତ୍ରା କରୁଥିଲେ । ରାସ୍ତାରେ ହିଁ ଆତଙ୍କବାଦୀମାନେ ହମଲା କରିଛନ୍ତି । ଦୁଇରୁ ତିନି ଜଣ ଆତଙ୍କବାଦୀ ସୁରକ୍ଷା ବଳର ବସ୍ ଉପରକୁ ଗୁଳି ଚଳାଇଥିଲେ । ଏହି ଘଟଣା ପରେ କାଶ୍ମୀର ପୋଲିସ ଜୋନ୍ ଟୁଇଟ୍ କରି କହିଛି ଯେ, ଶ୍ରୀନଗରର ଜେୱାନ ଅଞ୍ଚଳରେ ଆତଙ୍କବାଦୀମାନେ ପୋଲିସ ଗାଡିକୁ ଆଖିବୁଜା ଗୁଳି ଚଳାଇଛନ୍ତି ।
ଉକ୍ତ ଅଞ୍ଚଳକୁ କର୍ଡନ କରାଯାଇଛି । ଆକ୍ରମଣକାରୀଙ୍କୁ ଟ୍ରାକ କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଦୁଇଦିନ ପୂର୍ବେ କଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଏବେ ପୁଣି ଆତଙ୍କବାଦୀମାନେ ସକ୍ରିୟ ହେବା ସୁରକ୍ଷା କର୍ମୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି।
Powered by Froala Editor