ନାବାଳକକୁ ଯୌନ ନିର୍ଯାତନା, ବରିଷ୍ଠ ସେବାୟତ ଗିରଫ

ପୁଣି ଶ୍ରୀମନ୍ଦିରରେ ଜଣେ ସେବାୟତ ପରିବାରର ନାବାଳକକୁ ଜନୈକ ବରିଷ୍ଠ ସେବାୟତ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ନିର୍ଯାତନାର ଶିକାର ହୋଇଥିବା ନାବାଳକଙ୍କ ବାପା ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ, ନିଯୋଗ ଓ ଆରକ୍ଷୀ ଅଧିକ୍ଷକଙ୍କୁ ବି ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିବା କହିଛନ୍ତି। ପୁଲିସ୍ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ବରିଷ୍ଠ ସେବାୟତ ଲକ୍ଷ୍ମୀନାରାୟଣ ଖୁଣ୍ଟିଆକୁ ଗିରଫ କରିଛି। ତାଙ୍କ ବିରୋଧରେ ଆଇପିସିର ଦଫା ୨୯୪/୩୭୭/୫୦୬/୬ ସହ ପକ୍ସୋ ଆକ୍ଟ ଲାଗିଛି।
ପୀଡ଼ିତ ନାବାଳକଙ୍କ ବାପାଙ୍କ ଦୃଷ୍ଟିହୀନ ଅଟନ୍ତି। ତେଣୁ ତାଙ୍କୁ ତାଙ୍କ ନାବାଳକ ପୁଅ ସର୍ବଦା ଶ୍ରୀମନ୍ଦିରକୁ ନେବା ଆଣିବା କରନ୍ତି। ନାବାଳକ ପୁଅ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଳି ଖଟୁଥିବା ବେଳେ ସେ ନିର୍ମାଲ୍ୟ ଖଳାରେ କାମ କରନ୍ତି। ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶୁଖିଲା ମହାପ୍ରସାଦ ପ୍ରସ୍ତୁତ କରନ୍ତି। ଦୁଇମାସ ତଳେ ତାଙ୍କ ନାବାଳକ ପୁଅ ଭୁବନେଶ୍ଵରୀ ମନ୍ଦିରରେ ଦର୍ଶନ କରୁଥିବା ବେଳେ ଲକ୍ଷ୍ମୀ ମନ୍ଦିର ସେବାୟତ ହରଚଣ୍ଡୀ ସାହିର ଲକ୍ଷ୍ମୀନାରାୟଣ ଖୁଣ୍ଟିଆ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
ନାବାଳକ ଜଣକ ପ୍ରତିବାଦ କରିବାରୁ ଧମକ ଦେଇଥିଲା। ଜୋର ଜବରଦସ୍ତ ମାଡ଼ ମାରିଥିଲା। ଏହା ପରେ ନାବାଳକ ଜଣକ କାନ୍ଦି କାନ୍ଦି ପଳାଇ ଆସିଥିଲା। ଏମିତି ନିର୍ଯାତନା ଦୀର୍ଘ ଦୁଇ ମାସ ଧରି ଦିଆଯାଉଥିଲା। ଯେଉଁଥିପାଇଁ ସେ ମାନସିକ ଓ ଶାରୀରିକ ଭାବେ ଭାଙ୍ଗି ପଡ଼ିଥିଲେ। ତେବେ ସେହି ଦିନଠାରୁ ନାବାଳକ ସେବାୟତ ଜଣକ ଏଭଳି ନିର୍ଯାତନାର ଶିକାର ହେଉଥିବା ବେଳେ ଗତକାଲି ରାତିରେ ମଧ୍ୟ ସେ ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇଥିବା ନେଇ ତାଙ୍କ ବାପା ସିଂହଦ୍ଵାର ଥାନାରେ ଅଭିଯୋଗ କରିଛନ୍ତି।
Powered by Froala Editor