ପଟାଙ୍ଗି ବ୍ଲକରେ ବିକ୍ରି ହେଉଛି ଆନ୍ଧ୍ର ସରକାରଙ୍କ ମାଗଣା କ୍ଷୀର

ପଟାଙ୍ଗି : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକରେ ବିକ୍ରି ହେଉଛି ଆନ୍ଧ୍ର ସରକାରଙ୍କ ମାଗଣା କ୍ଷୀର । ଯାହାକୁ ଆନ୍ଧ୍ର ସରକାର ମାଗଣାରେ ନିଜ ରାଜ୍ୟରେ ବିତରଣ କରୁଥିବା ବେଳେ କେମିତି ସୀମା ଡେଇଁ ପଡେ଼ାଶୀ ରାଜ୍ୟକୁ ବିକ୍ରି ପାଇଁ ଆସୁଛି ବୋଲି ପ୍ରଶ୍ନ ଉଠିଲାଣି । କିଛି ଅସାଧୁ ବ୍ୟବସାୟୀ ଗଳା ବାଟରେ ଏହାକୁ ଆଣିବା ପରେ ମୁନାଫା କମାଉଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ପଟାଙ୍ଗି ବଜାରରେ ବେଧଡ଼କ ବିକ୍ରି ହେଉଥିବା ଗୋଟିଏ କ୍ଷୀର ପ୍ୟାକେଟକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଥିବା ଏହି କ୍ଷୀର ପ୍ୟାକେଟରେ ବିକ୍ରି ପାଇଁ ଆଦୌ ଉଦ୍ଧିଷ୍ଟ ନୁହଁ ବୋଲି ଉଲ୍ଲେଖ କରାଯାଇଛି । ତଥାପି ଏହାକୁ ଖୋଲା ବଜାରରେ ବିକ୍ରି କରାଯାଉଛି । ଗୋଟିଏ ଲିଟର ପ୍ୟାକେଟକୁ ସ୍ଥାନୀୟ ବ୍ୟବସାୟୀ ୪୦ଟଙ୍କାରେ ବିକ୍ରି କରୁଛନ୍ତି । ଅନ୍ୟ କ୍ଷୀର ଦାମ ତୁଳନାରେ କମ ରହିଥିବାରୁ ଲୋକେ ବି କିଛି ଚିନ୍ତା ନ କରି ତାହାକୁ କିଣି ନେଉଛନ୍ତି ।
ଖୋଳତାଡ଼ କରିବାରୁ ଆନ୍ଧ୍ର ସରକାର ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ସ୍ୱତନ୍ତ୍ର ଯୋଜନା କରିଛନ୍ତି । ପୁଷ୍ଟିକର ଖାଦ୍ୟ ସାମଗ୍ରୀ ମଧ୍ୟରେ ମାଗଣାରେ କ୍ଷୀର ବି ମାଗଣାରେ ଯୋଗାଣ କରୁଛନ୍ତି । ତେବେ ତାହାକୁ ଅଙ୍ଗନବାଡି କେନ୍ଦ୍ର ଦ୍ୱାରା ଆଦୌ ବିତରଣ ନ କରି କିମ୍ବା ବଳକା ରହି ଯାଉଥିବା ପ୍ୟାକେଟକୁ କିଛି ଅସାଧୁ ବ୍ୟବସାୟୀ ନିୟମିତ ସଂଗ୍ରହ କରୁଛନ୍ତି । ଏହାପରେ ଓଡ଼ିଶାକୁ ପଠାଇ ଖୋଲା ବଜାରରେ ବିକ୍ରି କରୁଛନ୍ତି । ବଡ଼ କଥା ହେଲା ଏହି କ୍ଷୀର କେତେ ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ ସେ ନେଇ ପ୍ୟାକେଟରେ ଉଲ୍ଲେଖ ହୋଇ ନାହିଁ । ତେଣୁ ଏହାକୁ ବ୍ୟବହାର କରିବା ଦ୍ୱାରା ଯଦି କେହି ଅସୁସ୍ଥ ହୁଅନ୍ତି ତେବେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି । ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
Powered by Froala Editor