କଂଗ୍ରେସ ଛାଡ଼ିବେ ପ୍ରଫୁଲ ମାଝୀ

ସୁନ୍ଦରଗଡ: କଂଗ୍ରେସର ଟାଣୁଆ ଆଦିବାସୀ ନେତା ତଳସରା ବିଧାନସଭାର ୩ ଥରର ବିଧାୟକ ଡ. ପ୍ରଫୁଲ ମାଝୀ ଦଳ ଛାଡ଼ି ବିଜେଡିରେ ଯୋଗଦେବେ । ଆସନ୍ତା ଡିସେମ୍ବର ୧୦ ତାରିଖରେ ସେ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିର ହାତ ଧରିବେ । ଡ. ମାଝୀ ନିଜେ ଏହି ସୂଚନା ଦେଇଛନ୍ତି । ତଳସରାର ଭୂତପୂର୍ବ ଲୋକପ୍ରିୟ କଂଗ୍ରେସ ବିଧାୟକ ତଥା ମନ୍ତ୍ରୀ ଗଜାଧର ମାଝୀଙ୍କ ଝିଆରୀ ଜ୍ୱାଇଁ ଡ. ମାଝୀ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଲଗାତାର ୩ ଥର ବିଧାୟକ ନିର୍ବାଚିତ ହୋଇ ହ୍ୟାଟ୍ରିକ ମାରିଥିଲେ ।
୨୦୦୬ ମସିହା ମେ ୨୦ ତାରିଖରେ ଗଜାଧର ମାଝୀଙ୍କ ଦେହାନ୍ତ ପରେ ହୋଇଥିବା ଉପ-ନିର୍ବାଚନରେ ଡ. ମାଝୀ ନିର୍ବାଚିତ ହୋଇ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା । ୨୦୧୯ ନିର୍ବାଚନ ସମୟରେ ହିଁ ସେ କଂଗ୍ରେସ ଛାଡ଼ି ବିଜେଡିକୁ ଯିବାକୁ ମନ ବଳାଇଥିବା ଚର୍ଚ୍ଚା ହୋଇଥିଲା । କିନ୍ତୁ କୌଣସି କାରଣରୁ ତାହା ସମ୍ଭବ ହୋଇ ନଥିଲା ଓ ସେ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ିଥିଲେ । ତେବେ ଟାଣୁଆ ଆଦିବାସୀ ଚେହେରା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ପରେ ଡ. ମାଝୀ କଂଗ୍ରେସ ଛାଡ଼ିବା ଆପାତତଃ ସ୍ପଷ୍ଟ ହୋଇଛି । ଏହା ଦଳ ପାଇଁ ଚିନ୍ତାର କାରଣ ହେବ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି ।
Powered by Froala Editor