ବିଧାନସଭା ଗୃହ ୪ଟା ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ୱର: କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାକୁ ନେଇ ବିଧାନସଭାରେ ଅଚଳାବସ୍ଥା ଲାଗି ରହିଛି । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଏବଂ ସିବିଆଇକୁ ଏହି ଘଟଣାର ତଦନ୍ତ ଦିଆଯାଉ ନଚେତ୍ ଗୃହ ଚଳାଇ ଦେବୁନାହିଁ । ଚତୁର୍ଥ ଦିନରେ ମଧ୍ୟ ସମାନ ଦାବିରେ ଆଡି ବସିଛନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ । ଯାହା ଫଳରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଗୃହକୁ ପୁଣି ଅପରାହ୍ଣ ୪ଟା ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ଆଜି ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନ । ତେବେ ଆଜି ବି ବିଧାନସଭା ଆରମ୍ଭରୁ ଚାଲିପାରିଲାନଥିଲା । ଆଜି ବିଧାନସଭା ଆରମ୍ଭ ହେଉ ହେଉ ବିରୋଧ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ ।
ଆଜି ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ବିରୋଧୀ ସଦସ୍ୟ ହୋହାଲ୍ଲା କରିବା ସହ ବିଭିନ୍ନ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ଏହି ଅବସରରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନିପତି ଗୃହରେ ପୂଜକ ବେଶରେ ଗଙ୍ଗାଜଳ ସିଞ୍ଚନ କରିଥିଲେ । ତାରାଙ୍କ ପୂଜକ ବେଶ ସାଙ୍ଗକୁ ଘଣ୍ଟମାଡ଼ରେ ଗୃହ କମ୍ପିଥିଲା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରବେଶରୁ ଗୃହ ଅପବିତ୍ର ହୋଇଯାଇଥିବା ଦର୍ଶାଇ ଗଙ୍ଗାଜଳ ଛିଞ୍ଚିଛନ୍ତି ତାରା । ଯାହାକୁ ଦେଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ଆଜି ପୂର୍ବାହ୍ନ ସାଢେ ୧୦ଟାରେ ବିଧାନସଭା ଆରମ୍ଭ ହେବା କ୍ଷଣି ବିଜେପି ଓ କଂଗ୍ରେସ ବିଧାୟକମାନେ ମଧ୍ୟଭାଗକୁ ମାଡିଆସି ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ମଠା ପରିଧାନ କରିବା ସହ ହାତରେ ଗଡୁ ଧରିଥିଲେ । ଏକ ଆମ୍ବପତ୍ରରେ ସେ ଗଙ୍ଗାଜଳ ଛିଞ୍ଚୁଥିବା ଦେଖିବାକୁ ମିଳିଥିଲା । ଅପରପକ୍ଷରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ରମେଶ ଜେନା ଘଣ୍ଟା ପିଟିଥିଲେ ।
ଅପରପକ୍ଷରେ ଅନ୍ୟ ବିଧାୟକମାନେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ବିଧାନସଭା ଏକ ପବିତ୍ର ସ୍ଥାନ । ଏହା ଡ୍ରାମା କରିବା ସ୍ଥାନ ନୁହେଁ । ଏଭଳି ପ୍ରାୟ ୨ ମିନିଟ ଚାଲିବା ପରେ ବାଚସ୍ପତି ବିଧାନସଭାକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରି ଦେଇଥିଲେ ।
ସୂଚନା ଥାଉ ଯେ, ଡିସେମ୍ବର ୧ ତାରିଖରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇଛି । ମାତ୍ର ୪ ଦିନ ମଧ୍ୟରେ ଆରମ୍ଭରୁ ଅଚଳ ହୋଇଯାଉଛି ଗୃହ । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିରୋଧୀ ଗୃହରେ ଏବଂ ବିଧାନସଭା ଫାଟକରେ ବିରୋଧ ପ୍ରଦର୍ଶନ କରୁଛନ୍ତି ।
Powered by Froala Editor