କାନ୍ଦି କାନ୍ଦି ବିଧାନସଭା ପରିତ୍ୟାଗ କଲେ ଚନ୍ଦ୍ରବାବୁ, କହିଲେ ମୁଖ୍ୟମନ୍ତ୍ରୀ ହେଲେ ହିଁ ଏଠି ପାଦ ପକାଇବି
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ କାନ୍ଦିକାନ୍ଦି ବିଧାନସଭା ପରିତ୍ୟାଗ କରିଛନ୍ତି। ଆନ୍ଧ୍ର ପ୍ରଦେଶର ବିଧାନସଭା ଅଧିବେଶନ ଚାଲିଥିବାବେଳେ ନାରୀ ସଶକ୍ତିକରଣ ପ୍ରସଙ୍ଗରେ ମୁହାଁମୁହଁ ହୋଇଥିଲେ ଶାସକ ଓ୍ବାଇଏସଆର କଂଗ୍ରେସ ଓ ବିରୋଧୀ ଟିଡିପି । ଏହି ସମୟରେ ଚନ୍ଦ୍ରବାବୁ ନାଇଡୁଙ୍କ ପତ୍ନୀଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲେ ଓ୍ବାଇଏସଆର କଂଗ୍ରେସ ବିଧାୟକ । ଯାହାକୁ ବିରୋଧ କରିଥିଲେ ଚନ୍ଦ୍ରବାବୁ ନାଇଡୁ । ଏଥିସହ ସଙ୍ଗେ ସଙ୍ଗେ କକ୍ଷ ତ୍ୟାଗ କରିଥିଲେ । ଏହା ପରେ ନିଜ ବିଧାୟକମାନଙ୍କୁ ସମ୍ବୋଦ୍ଧିତ କରିବା ଅବସରରେ ସେ କାନ୍ଦି ପକାଇଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ହେଲେ ଯାଇ ବିଧାନସଭାକୁ ଫେରିବ ବୋଲି ଘୋଷଣା କରିଥିଲେ।
ଗତ ଅଢ଼େଇ ବର୍ଷ ଧରି ସେ ସରକାରୀ ଦଳର ସଦସ୍ୟଙ୍କ ଦ୍ବାରା ଅପମାନ ସହ୍ୟ କରିଆସୁଛନ୍ତି ଏବଂ ନିରବ ରହୁଛନ୍ତି। ତାଙ୍କ ପରିବାର ପ୍ରତି ବ୍ୟକ୍ତିଗତ ଆକ୍ଷେପ କରାଯାଉଛି । ଏହା ସତ୍ତ୍ବେ ସେ କାହାକୁ କେବେ ଅସମ୍ମାନ କରି ନାହାନ୍ତି; କିନ୍ତୁ ଏବେ ଏହା ଅସହ୍ୟ ହେଲାଣି। ତାଙ୍କୁ ଗୃହରେ କହିବାର ସୁଯୋଗ ଦିଆଯାଉ ନାହିଁ ବୋଲି ସେ ଦର୍ଶାଇଛନ୍ତି। ସେ କାନ୍ଦୁଥିବାବେଳେ ଦଳୀୟ ନେତାମାନେ ତାଙ୍କୁ ବୁଝାସୁଝା କରିଥିଲେ।
ହେଲେ ସେ କହିଥିଲେ, ମୋ ୪୦ ବର୍ଷର ରାଜୈନିତକ କ୍ୟାରିୟରରେ ମୁଁ ଏତେ କଷ୍ଟ ପାଇନି । ଅଢେଇ ବର୍ଷ ଧରି ମୋ ମାନ ସମ୍ନାନ ଓ ସ୍ବାଭିମାନ ଉପରେ ପ୍ରହାର କରାଯାଉଛି । ହେଲେ ମୁଁ ଚୁପ ରହୁଛି, ତେବେ କୌଣସି କାରଣ ନ ଥାଇ ମୋ ପତ୍ନୀଙ୍କ ବିଷୟରେ ବିଧାୟକ ଯେଉଁ ଟିପ୍ପଣୀ ଦେଲେ ତାହା ଦୁର୍ଭାଗ୍ୟଜନକ । ଏଭଳିକି ଏହି ସମୟରେ ବିଧାୟକଙ୍କୁ ଅଟକାଇନଥିଲେ ବାଚସ୍ପତି । ଏହା ବହୁ ଯନ୍ତ୍ରଣା ଦେଇଥିଲା, ଏଣୁ ମୁଁ ମୁଖ୍ୟମନ୍ତ୍ରୀ ନ ହେବା ପର୍ଯ୍ୟନ୍ତ ବିଧାନସଭା ମାଟି ମାଡିବି ନାହିଁ ବୋଲି କହିଛନ୍ତି ଚନ୍ଦ୍ରବାବୁ ।
Powered by Froala Editor