ବେଆଇନ ଡିଜିଟାଲ୍ ଋଣ ମୋବାଇଲ୍ ଆପ ଉପରେ ଲଗାମ, ଜାଣନ୍ତୁ କାହିଁକି
ମୁମ୍ବାଇ: ବେଆଇନ ଡିଜିଟାଲ୍ ଋଣ ଆପଗୁଡ଼ିକ ଉପରେ ଲଗାମ କଷିବା ଲାଗି ଏକ ସ୍ୱତନ୍ତ୍ର ଆଇନର ଆବଶ୍ୟକତା ରହିଛି । ରିଜର୍ଭ ବ୍ୟାଙ୍କର ୱାର୍କିଂ କମିଟି ଦେଇଥିବା ରିପୋର୍ଟରେ ଏହି ସୁପାରିସ କରିଛି । ଡିଜିଟାଲ୍ ମାଧ୍ୟମରେ ଋଣ ଦେଉଥିବା କିଛି ମୋବାଇଲ୍ ଆପ୍, ବିଶେଷ କରି ଯେଉଁମାନଙ୍କର ଚୀନ୍ ସହିତ ସମ୍ପର୍କ ରହିଛି ସେମାନେ ଅତି ସହଜରେ ଲୋକମାନଙ୍କୁ ଋଣ ଦେଇ ସେମାନଙ୍କୁ ନିଜ ଜାଲରେ ଫସାଉଛନ୍ତି । ଏହା ପରେ ସେମାନଙ୍କ ଠାରୁ ମୋଟା ଅଙ୍କର ସୁଧ ଅସୁଲ କରୁଛନ୍ତି । କେହି ଟଙ୍କା ଫେରାଇବାରେ ବିଳମ୍ବ କଲେ ତାଙ୍କୁ ବିଭିନ୍ନ ପ୍ରକାରରେ ହଇରାଣ କରିବା ସହ ସାମାଜିକ ଗଣମାଧ୍ୟମ ଓ ବନ୍ଧୁ ପରିଜନଙ୍କ ନିକଟରେ ଲଜ୍ଜିତ କରିବାକୁ ଉଦ୍ୟମ କରୁଛନ୍ତି । ହାଇଦ୍ରାବାଦ ଓ ଦିଲ୍ଲୀ ଭଳି କେତେକ ସ୍ଥାନରେ ଏଭଳି କେତେକ ମାମଲା ବିଷୟରେ ପୁଲିସରେ ଅଭିଯୋଗ ହେବା ପରେ ରିଜର୍ଭ ବ୍ୟାଙ୍କ ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲା ।
କିଭଳି ବେଆଇନ ଡିଜିଟାଲ୍ ଆପଗୁଡ଼ିକ ଉପରେ ନିୟନ୍ତ୍ରଣ ହାସଲ କରାଯିବ ସେନେଇ କାର୍ଯ୍ୟନିର୍ବାହୀ ନିର୍ଦେଶକ ଜୟନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ୱାର୍କିଂ କମିଟି ଗଠନ କରାଯାଇଥିଲା । କମିଟି ଏହାର ରିପୋର୍ଟ ଦେଇଛି । ଦାଶ କମିଟି କେତେକ ଗୁରୁତ୍ୱପୂର୍ଣ୍ଣ ସୁପାରିସ କରିଛି । ଅଂଶୀଦାରମାନଙ୍କ ସହ ଆଲୋଚନା କରି ଡିଜିଟାଲ୍ ଋଣ ଆପଗୁଡ଼ିକର ଯାଞ୍ଚ କରିବା ଲାଗି ଏକ ନୋଡାଲ୍ ଏଜେନ୍ସି ଗଠନ କରିବା ଲାଗି ପରାମର୍ଶ ଦିଆଯାଇଛି । ଏହି କ୍ଷେତ୍ରରେ କାରବାର କରୁଥିବା ସଂସ୍ଥାଗୁଡ଼ିକ ନିଜ ଉଦ୍ୟମରେ ଏକ ନିୟାମକ ବ୍ୟବସ୍ଥା ପ୍ରସ୍ତୁତ କରିବା ଦରକାର ବୋଲି କୁହାଯାଇଛି ।
Powered by Froala Editor