ଆଗପଛ ହୋଇ ଚାଲିଗଲେ ୩ ଭାଈ: ମୋ ଭାଇ ମୋତେ ଡାକୁଛି...
ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ପଛରେ ପ୍ରକୃତ କାରଣ କ’ଣ, ତାହା ଏବେ ମଧ୍ୟ ସ୍ପଷ୍ଟ ହୋଇନାହିଁ। ମାତ୍ର ୬ ମାସ ମଧ୍ୟରେ ତିନି ଭାଇଙ୍କ ଜୀବନ ଚାଲିଯାଇଥିବାରୁ ପରିବାର ସହ ସ୍ଥାନୀୟ ଲୋକେ ମଧ୍ୟ ଗଭୀର ଶୋକ ଓ ଆଶଙ୍କାରେ ଅଛନ୍ତି।
ପଡ଼ୋଶୀଙ୍କ କହିବା ଅନୁଯାୟୀ, ଭାଇମାନଙ୍କ ବ୍ୟବହାର ଓ ସେମାନଙ୍କ କଥାକୁ ନେଇ ପରିବାର ଚିନ୍ତିତ ଥିଲା। ସେମାନଙ୍କୁ ସୁସ୍ଥ କରିବା ପାଇଁ ଝଡ଼ାଫୁଙ୍କା କରାଯିବା ସହ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନିଆଯାଇଥିବା କୁହାଯାଉଛି। ତଥାପି ଗୋଟିଏ ପରେ ଗୋଟିଏ ତିନି ଭାଇଙ୍କ ମୃତ୍ୟୁ ଘଟିବାରୁ ପରିବାର ଓ ସ୍ଥାନୀୟ ଲୋକେ ଶୋକରେ ବୁଡ଼ି ରହିଛନ୍ତି।
କିଛି ଲୋକ ଏହାକୁ ଭୂତପ୍ରେତ ସହ ଯୋଡ଼ୁଥିବା ବେଳେ ଘଟଣାର ପ୍ରକୃତ କାରଣ ସମ୍ପର୍କରେ କୌଣସି ଠୋସ ତଥ୍ୟ ସାମ୍ନାକୁ ଆସିନାହିଁ। ସ୍ଥାନୀୟ ସୂଚନା ଅନୁସାରେ, ପରିବାରର ବଡ଼ ପୁଅ ବିକାଶ ନିଷାଦଙ୍କ ମୃତ୍ୟୁ ଜୁଲାଇ ୧୦ ତାରିଖରେ ହୋଇଥିଲା। ସେ ଘରର ଦ୍ୱିତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଦୁଇ ଭାଇ ସ୍ବପ୍ନରେ ଆସି ବିକାଶଙ୍କୁ ଡାକୁଥିବା କଥା କହୁଥିଲେ। ସେ ନିଜ ଭଉଣୀ ଓ ପଡ଼ୋଶୀଙ୍କ ଆଗରେ ଏଭଳି କଥା କହିଥିଲେ। ଏହାକୁ ନେଇ ପରିବାର ଚିନ୍ତିତ ଥିଲା ଏବଂ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲା। ଶେଷରେ ବିକାଶଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା।
ତେବେ ବିକାଶଙ୍କ ପୂର୍ବରୁ ତାଙ୍କର ଦୁଇ ସାନ ଭାଇ ଗୋବିନ୍ଦ ଓ ଅମନଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଗୋବିନ୍ଦ ଫାଶୀ ଲଗାଇ ଜୀବନ ହାରିଥିବା ବେଳେ ଅମନ ଘରର ପ୍ରଥମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଗୋବିନ୍ଦଙ୍କ ମୃତ୍ୟୁ ପରେ ଅମନ ମଧ୍ୟ ତାଙ୍କ ମୃତ ଭାଇ ସ୍ବପ୍ନରେ ଆସି ଡାକୁଥିବା କଥା ପରିବାରକୁ କହିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହାର କିଛି ଦିନ ପରେ ଅମନଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ପରେ ବଡ଼ ଭାଇ ବିକାଶଙ୍କ ମୃତ୍ୟୁ ପରିବାରକୁ ଆହୁରି ଭାଙ୍ଗି ଦେଇଛି।
Powered by Froala Editor