ଆଜି ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ
ପୁରୀ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ଶ୍ରୀମନ୍ଦିର।ବଡ଼ ଦେଉଳରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କର ରାଜରାଜେଶ୍ୱର ବେଶ । କାର୍ତ୍ତିକ ମାସ ପୂର୍ଣ୍ଣିମାରେ ପାରମ୍ପରିକ ରୀତି ମତେ ଏହି ବେଶ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଛି।
କାର୍ତ୍ତିକ ପୂର୍ଣ୍ଣିମା ଦିନ ଶ୍ରୀବିଗ୍ରହମାନଙ୍କର ଅବକାଶ ନୀତି ପରେ ରାଜବେଶ ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ପ୍ରକାର ରତ୍ନ ଅଳଙ୍କାର, ପୁଷ୍ପ ଅଳଙ୍କାର ଓ ମୂଲ୍ୟବାନ ପାଟବସ୍ତ୍ରରେ ସୁସଜ୍ଜିତ ହୋଇ ଠାକୁରମାନେ ରାଜରାଜେଶ୍ୱର ବେଶ ଧାରଣ କରିଥାନ୍ତି । ଏହି ବେଶ ସୁନା ବେଶ ହୋଇଥିବାରୁ ଏଥିରେ ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଏ । ଏହାକୁ ମହାପ୍ରଭୁଙ୍କର ରାଜା ବେଶ ବୋଲି କୁହାଯାଏ । ଜଗନ୍ନାଥ ଗୋପାଳ କୃଷ୍ଣ ଏବଂ ଦ୍ୱାରକା କୃଷ୍ଣ ଉଭୟଙ୍କର ସଂଯୋଗରେ ମାଧୁର୍ୟ୍ୟ ଓ ଐଶ୍ୱର୍ୟ୍ୟ ଭାବ ପ୍ରକାଶ କରୁଥିବାରୁ କାର୍ତ୍ତିକ ମାସରେ ରାଧା ଦାମୋଦର ବେଶରେ ମାଧୁର୍ୟ୍ୟ ଓ ରଜରାଜେଶ୍ୱର ବେଶରେ ପ୍ରଭୁଙ୍କର ଐଶ୍ୱର୍ୟ୍ୟ ଭାବ ପ୍ରକାଶ ପାଏ। ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉଙ୍କୁ ରାଜରାଜେଶ୍ୱର ବେଶରେ ସଜାନ୍ତି । କାର୍ତ୍ତିକ ମାସରେ ପଞ୍ଚୁକର ଶେଷ ଦିନରେ ସୁବର୍ଣ୍ଣ ବେଶ ମହାପ୍ରଭୁଙ୍କର ଏକ ପୂର୍ଣ୍ଣାଙ୍ଗ ବେଶ ଅଟେ । ଏହି ବେଶ ଦର୍ଶନ ପାଇଁ ପୁରୀରେ ପ୍ରବଳ ଭକ୍ତସମାଗମ ହୁଏ ।
Powered by Froala Editor