୫୦ ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ, ଜଣେ ଗିରଫ
କୋରାପୁଟ: କୋରାପୁଟ ଜିଲ୍ଲା ଦାମନଯୋଡ଼ି ରାସ୍ତାରେ ଏକ ନକଲି ଗୁଟଖା କାରଖାନା ଠାବ କରିଛି ପୁଲିସ। ପୁଲିସ କାରଖାନାରେ ଥିବା ୧୧ଟି ମେସିନକୁ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। କାରଖାନା ପରିସରରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ନକଲି ଗୁଟଖା ଜବତ ହୋଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ବି. ରମେଶ। ତାଙ୍କର ଘର ତେଲେଙ୍ଗାନାରେ ହୋଇଥିବା ଜଣାଯାଇଛି। ବି. ରମେଶଙ୍କ ନାଁରେ ସେମିଳିଗୁଡ଼ା ଥାନାରେ ମାମଲା ରୁଜୁ କରାଯାଇଛି।
ସୂଚନାଯୋଗ୍ୟ, ଦାମନଯୋଡ଼ି ରାସ୍ତାରେ ଏକ ନକଲି ଗୁଟଖା କାରଖାନା ଚାଲିଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ରାତିରେ ଏସଡିପିଓ ମନୋଜ କୁମାର ବେହେରାଙ୍କ ନେତୃତ୍ୱରେ ଗୁଟଖା କାରାଖାନା ଉପରେ ସେମିଳିଗୁଡ଼ା ପୁଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୧୧ ବଣ୍ଡଲରୁ ଊର୍ଦ୍ଧ୍ୱ ଗୁଟଖା,କେମିକାଲ, ପଲିଥିନ, ଚୁନ ଓ ନକଲି ଜର୍ଦ୍ଦା ଜବତ କରାଯାଇଥିଲା। ପୁଲିସ ଗୁଟଖା କାରାଖାନାକୁ ସିଲ୍ କରି ଘଟଣାର ତଦନ୍ତ କରୁଛି।
Powered by Froala Editor