କୋଟିଆ ପ୍ରସଙ୍ଗ, ଏଭଳି ଫେସବୁକରେ ପ୍ରତିକ୍ରିୟା ରଖିଲେ ସାଲୁର ବିଧାୟକ

କୋରାପୁଟ:କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ ଏକ ଫେସବୁକ ପୋଷ୍ଟ କରି ପ୍ରତିକ୍ରିୟା ରଖିଛନ୍ତି ସାଲୁର ବିଧାୟକ । ରାଜେନ୍ଦ୍ର ଦୋରା ଲେଖିଛନ୍ତି ଯେ, ତାଙ୍କ ପାଇଁ ସବୁଠାରୁ ବଡ ପ୍ରସଙ୍ଗ କୋଟିଆ । ଏବଂ ଏ ପ୍ରସଙ୍ଗରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବାରୁ ସେ ଜଗନ ମୋହନ ରେଡ୍ଡିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୧୪ବର୍ଷ ଧରି ଚନ୍ଦ୍ରବାବୁ ନାଇଡୁ କ୍ଷମତାରେ ରହିଥିଲେ ମଧ୍ୟ ଏ ଦିଗରେ ପଦକ୍ଷେପ ନେଇନଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି ।
ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ଦୁଇ ରାଜ୍ୟର ମୁଖ୍ୟ ସଚିବ, ଡିଜିପି ଓ ଅନ୍ୟ ଅଧିକାରୀମାନଙ୍କୁ ନେଇ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ତେବେ ତାଙ୍କ ଲେଖାର ଭାଷାରୁ ଜଣାପଡୁଛି ଯେ, କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କ ଉପରେ ତାଙ୍କର ଯଥେଷ୍ଟ ଭରସା ରହିଛି । ତାଙ୍କ କହିବା ହେଲା କୋଟିଆ ଅଂଚଳର ଲୋକେ ବିଜୟନଗରମ ଜିଲ୍ଲାପାଳ ଓ ଏସପି ଏବଂ ଆଇଟିଡିଏ ପିଓଙ୍କୁ ଲିଖିତ ଭାବେ ଆନ୍ଧ୍ରରେ ରହିବାକୁ ଇଚ୍ଛା ପ୍ରକାଶ କରିଥିବା ଜଣାଇଛନ୍ତି । ତେଣୁ ଏ ଦିଗରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଆବଶ୍ୟକ ପଦକ୍ଷେପ ନେବେ ବୋଲି ସେ ଆଶାବାଦୀ ଥିବା ଏହି ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।
ମଙ୍ଗଳବାର ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ କମିଟି ଗଠନ ଦିଗରେ ଜୋର ଦେଇଥିଲେ ହେଁ ଆନ୍ଧ୍ରର କୋଟିଆରେ ଅନୁପ୍ରବେଶ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇନାହିଁ । ତେଣୁ ସୀମା ବିବାଦର ସମାଧାନ ନେଇ କୋରାପୁଟବାସୀଙ୍କ ମନରେ ଜନ୍ମିଥିବା ଆଶା ମଉଳି ଯାଇଛି ।ଗୋଟିଏ ପଟେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଚର୍ଚ୍ଚା ଚାଲିଥିବାବେଳେ ସେହିଦିନ ଆନ୍ଧ୍ରପ୍ରଦେଶ ଧୂଳିପଦର ମାଟିରେ ଓଡିଶାକୁ ବେଖାତିର କରି ଗ୍ରାମସଭା କରିଛି । ତେଣୁ ଉଚ୍ଚସ୍ତରୀୟ କମିଟି ଗଠନ ଆଳରେ ଓଡିଶା ଆଉ କୋଟିଆ ମାଟିରେ ଆନ୍ଧ୍ର ସରକାରୀ କର୍ମଚାରୀଙ୍କ କାର୍ୟ୍ୟକଳାପ ପ୍ରତିରୋଧ କରିବ ନା ନାହିଁ ସେ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Powered by Froala Editor