କଏଦୀର ମୃତ୍ୟୁ ପରେ ଜେଲ୍ରେ ଲଙ୍କାକାଣ୍ଡ : ୩୦ ପୁଲିସ କର୍ମୀ ଆହତ, ଆଉ ଜଣେ କଏଦୀ ମୃତ
ଉତ୍ତରପ୍ରଦେଶର ଫତେହଗଡ ଜିଲ୍ଲା ଜେଲରେ ନ୍ୟାୟିକ ହେପାଜତରେ ଥିବା ଜଣେ ଅଭିଯୁକ୍ତଙ୍କର ଡେଙ୍ଗୁରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ଜେଲ ମଧ୍ୟରେ ଲଙ୍କାକାଣ୍ଡ ଭିଆଇଛନ୍ତି କଏଦୀମାନେ। ଏହି ଘଟଣାରେ ଜେଲରେ ଥିବା ଅନ୍ୟ ଜଣେ କଏଦୀଙ୍କର ମୃତ୍ୟୁ ଘଟିଛି ଓ ୩୦ ଜଣ ପୁଲିସ୍ କର୍ମୀ ଆହତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଏହି ଘଟଣାର ଏକ ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣେ କଏଦୀଙ୍କର ସାଇଫାଇ ମେଡିକାଲ କଲେଜରେ ମୃତ୍ୟୁ ଘଟିବା ଖବର ମିଲିବା ପରେ ଜେଲ ଅନ୍ତେବାସୀଙ୍କ ମଧ୍ୟରେ ଏହାକୁ କେନ୍ଦ୍ର କରି ଦଙ୍ଗା ଏବଂ ଅଗ୍ନିକାଣ୍ଡ ଘଟାଇଥିଲା। ଯେଉଁଥିରେ ଜେଲରେ ଥିବା ଅନ୍ୟ ଜଣେ ଅନ୍ତେବାସୀ ପ୍ରାଣ ହରାଇଥିଲେ। କଏଦୀମାନେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ଏଥିସହ ଜେଲରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ଫୋର୍ସ ନିୟୋଜିତ କରାଯାଇଥିଲା।
ଏସପି ଅଶୋକ କୁମାର ମୀନାଙ୍କ କହିବାନୁସାରେ, ପଥର ଫିଙ୍ଗିବା ଘଟଣାରେ ୩୦ ଜଣ ପୁଲିସ ଆହତ ହୋଇଛନ୍ତି। କିନ୍ତୁ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ସୋସିଆଲ ମିଡିଆରେ ଜେଲ ଭିତରେ ହୋଇଥିବା ଏହି ଦଙ୍ଗାର ଭିଡିଓ ଏବେ ପ୍ରସାରିତ ହେଉଛି।
Powered by Froala Editor