ସିଦ୍ଧୁଙ୍କ ଉପରେ ବର୍ଷିଲେ ପଞ୍ଜାବ ଏଟର୍ଣ୍ଣି ଜେନେରାଲ
ଚଣ୍ଡିଗଡ଼ : ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଗତକାଲି ତାଙ୍କ ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଇଥିଲେ ମଧ୍ୟ କଂଗ୍ରେସ ନିକଟରେ ଆଉ ଏକ ସର୍ତ୍ତ ରଖିଥିଲେ ଏବଂ ଏଟର୍ଣ୍ଣି ଜେନେରାଲ ଏପିଏସ ଦେଓଲଙ୍କ ଇସ୍ତଫା ଦାବି କରିଥିଲେ। ଦେଓଲ ସିଦ୍ଧୁଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଦେଓଲ କହିଛନ୍ତି, ଡ୍ରଗ୍ସ ମାମଲା ଏବଂ ସେକ୍ରିଲେଜ (ଧର୍ମଗ୍ରନ୍ଥ ପ୍ରତି ଅପମାନ) ମାମଲାରେ ସରକାର ନ୍ୟାୟ ଦେବାକୁ ଉଦ୍ୟମ ଜାରି ରଖିଥିବା ବେଳେ ସିଦ୍ଧୁଙ୍କର କିଛି କାର୍ଯ୍ୟ ପାଇଁ ଏଥିରେ ବିଳମ୍ବ ହେଉଛି। ସେହିପରି ସିଦ୍ଧୁ ନିଜ ସରକାର ବିରୋଧରେ ଏଭଳି ଅଭିଯୋଗ ଆଣିବାଦ୍ୱାରା ଏହା ଆଗାମୀ ବିଧାନସଭା ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି।
ପଂଜାବ ଆଡଭୋକେଟ ଜେନେରାଲଙ୍କର ସାମ୍ବିଧାନିକ ଅଫିସକୁ ରାଜନୀତିକରଣ କରି ସିଦ୍ଧୁ ଏଥିରୁ ଫାଇଦା ଉଠାଇବାକୁ ଚାହୁଛନ୍ତି ବୋଲି ସେ କହିଛନ୍ତି। ସିଦ୍ଧୁଙ୍କର ଷଡ଼ଯନ୍ତ୍ରପୂର୍ଣ୍ଣ ଆଚରଣ, ମିଥ୍ୟା ଅଭିଯୋଗ ଓ ବିଭ୍ରାନ୍ତି ପାଇଁ ସରକାରଙ୍କ ଅଡ଼ୁଆ ବଢ଼ୁଛି ବୋଲି ଏଟର୍ଣ୍ଣି ଜେନେରାଲ କହିଛନ୍ତି। ଅନ୍ୟପକ୍ଷେ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ସରକାରୀ ଯାଞ୍ଚ ଟିମକୁ ସମର୍ଥନ କରିବା ସହ ସିଦ୍ଧୁଙ୍କ ଦ୍ୱାରା ହେଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ନଭେମ୍ବର ୧୮ ତାରିଖରେ ସିଲ ହୋଇଥିବା ରିପୋର୍ଟ ଖୋଲିବ ଏବଂ ଏହା ସିଦ୍ଧୁଙ୍କ ପାଇଁ ଏକ କଡ଼ା ବାର୍ତ୍ତା ହେବ ବୋଲି ଚନ୍ନିଙ୍କ ସମର୍ଥକମାନେ କହିଛନ୍ତି।
Powered by Froala Editor