ମ୍ୟୁଜିକ୍ ଫେଷ୍ଟିଭାଲରେ ଦଳାଚକଟା, ୮ ଜଣଙ୍କ ମୃତ୍ୟୁ
ଆମେରିକାରେ ଚାଲିଥିବା ସଂଗୀତ ମହୋତ୍ସବରେ ( music festival ) ବଡ ଧରଣର ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଆମେରିକାର ହୋଷ୍ଟନ ଠାରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୮ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।
ଆମେରିକାର ଅଧିକାରୀ କହିଛନ୍ତି ଯେ ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହୋଷ୍ଟନର ଅଗ୍ନିଶମ ବିଭାଗର ମୁଖ୍ୟ ସାମ୍ୟୁଏଲ ପେନା କହିଛନ୍ତି, ସଂଗୀତ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ କିଛି ସମୟ ସବୁ କିଛି ଠିକ ଠାକ ଚାଲିଥିଲା। କିନ୍ତୁ ରାତି ପ୍ରାୟ ୯ରୁ ୯.୧୫ ମଧ୍ୟରେ ବିପୁଳ ସଂଖ୍ୟାର ଲୋକ ଗୀତରେ ଝୁମିଝୁମି ଷ୍ଟେଜର ନିକଟବର୍ତ୍ତୀ ହେବାକୁ ଲାଗିଥିଲେ। ଏହି ସମୟରେ ହଠାତ୍ କୌଣସି କାରଣରୁ ଠେଲାପେଲା ହୋଇଥିଲା। ଶେଷରେ ଏହା ଦଳଚକଟାର ରୂପ ନେଇଥିଲା। ଲୋକମାନେ ଏଣେତେଣେ ଦୌଡ଼ିବାରୁ ୮ ଜଣଙ୍କ ଜୀବନ ଯାଇଛି।
ସେହିପରି ଘଟଣାରେ ଆହତ ଆଉ ୧୭ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୧ ଜଣ ହୃଦଘାତର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି ବୋଲି ସେ କହିଛନ୍ତି। ଏହି ଦୁଇ ଦିନିଆ ସଂଗୀତ କାର୍ଯ୍ୟକ୍ରମରେ ୫୦ ହଜାର ଲୋକ ଯୋଗ ଦେବେ ବୋଲି ଆକଳନ କରାଯାଇଥିଲା। ତେବେ ପ୍ରଥମ ଦିନରେ ଅଘଟଣ ଘଟିବାରୁ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଛି। କୁହାଯାଉଛି ଯେ ପ୍ରାୟ ୩୦୦ ଲୋକ ଆହତ ହୋଇଛନ୍ତି।
Powered by Froala Editor