ସ୍ୱାମୀଙ୍କ ରାଗ ପିଲାଙ୍କ ଉପରେ ସୁଝାଇଲେ: ୫ ପିଲାଙ୍କ ତଣ୍ଟି ଚିପିଦେଲେ ମହିଳା
ସ୍ୱାମୀଙ୍କ ଉପରେ ସନ୍ଦେହ କରି ରାଗରେ ତମତମ ହୋଇଗଲେ ସ୍ତ୍ରୀ । ସେହି ରାଗ ସୁଝାଇଦେଲେ ପିଲାଙ୍କ ଉପରେ । ହିତାହିତ ଜ୍ଞାନ ଭୁଲି ନିଜ ୫ ପିଲାଙ୍କ ତଣ୍ଟି ଚିପି ମାରିଦେଲେ । ଏଥିରେ ବଡ ପୁଅର ଜୀବନ ବଞ୍ଚିଯାଇଛି । ଏଭଳି ଘଟଣା ଘଟିଛି ଜର୍ମାନରେ । ଏହିି ମାମଲାର ଶୁଣାଣି କରି କୋର୍ଟ ମହିଳାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ରିପୋର୍ଟ ଅନୁଯାୟୀ, ଏହି ଘଟଣା ୨୦୨୦ ମସିହା ସେପ୍ଟେମ୍ବର ୩ ତାରିଖରେ ଘଟିଥିଲା । ୨୮ ବର୍ଷୀୟା କ୍ରିଷ୍ଟିୟାନ ନାମ୍ନୀ ମହିଳା ଜର୍ମାନୀରେ ସ୍ୱାମୀ ଓ ନିଜ ୬ ପିଲାଙ୍କ ସହ ରହୁଥିଲେ। କ୍ରିଷ୍ଟିୟାନଙ୍କ ବଡ଼ ପୁଅ ବୟସ ୧୧ ବର୍ଷ । ସବୁ କିଛି ସୁରଖୁରରେ ଚାଲିଥିବା ବେଳେ ଥରେ ଏକ ଫଟୋ କ୍ରିଷ୍ଟିୟାନଙ୍କ ସଂସାର ଉଜାଡ଼ି ଦେଲା। ଅନ୍ୟ ମହିଳାଙ୍କ ସହ ସ୍ୱାମୀଙ୍କ ଫଟୋ ଦେଖି ନିଜ ହିତାହିତ ଜ୍ଞାନ ଭୁଲି ବସିଲେ କ୍ରିଷ୍ଟିୟାନ । ଏପରିକି ଆଉ କେବେ ନିଜ ଛୁଆଙ୍କୁ ଦେଖିପାରିବନି ବୋଲି ସ୍ୱାମୀଙ୍କ ପାଖକୁ ମେସେଜ ବି ପଠାଇଦେଲେ। ପ୍ରଥମେ କ୍ରିଷ୍ଟିୟାନ ନିଜ ପିଲାମାନଙ୍କୁ ନିଶା ଦ୍ରବ୍ୟ ଖୁଆଇଦେଲେ । ଏହାପରେ ସେମାନେ ଅଚେତ ହୋଇପଡ଼ିବାରୁ ସେମାନଙ୍କୁ ବାଥଟବ୍ରେ ବୁଡ଼ାଇ ଅଣନିଶ୍ୱାସ କରି ହତ୍ୟା କଲେ। ଏହାପରେ ସବୁ ମୃତଦେହକୁ କପଡ଼ାରେ ଗୁଡ଼ାଇ ବେଡ ଉପରେ ଶୁଆଇଦେଲେ। ଉକ୍ତ ସମୟରେ କ୍ରିଷ୍ଟିୟାନଙ୍କ ବଡ଼ ପୁଅ ଘର ବାହାରେ ଥିବାରୁ ବଞ୍ଚି ଯାଇଥିଲା। ଏହାପରେ ନିଜ ଜୀବନ ହାରିବାକୁ କ୍ରିଷ୍ଟିୟାନ ଘର ନିକଟରେ ଥିବା ଷ୍ଟେଶନକୁ ଯାଇଥିଲେ। ସେଠାରେ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲେ ମଧ୍ୟ ସୌଭାଗ୍ୟବଶଃତ ସେ ବଞ୍ଚି ଯାଇଥିଲେ।
ଏ ନେଇ ମାମଲା ରୁଜୁ ହୋଇଥିବା ବେଳେ କ୍ରିଷ୍ଟିୟାନଙ୍କୁ ଗିରଫ କରାଯାଇଥିଲା। ୪୦ରୁ ଊର୍ଦ୍ଧ୍ୱ ଜଣକ ବୟାନ ଶୁଣିବା ପରେ କୋର୍ଟ ପକ୍ଷରୁ ସମ୍ପୃକ୍ତ ମହିଳାଙ୍କୁ ଦୋଷୀ ଘୋଷଣା କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
Powered by Froala Editor