ବିଧାୟକ ଦେବବ୍ରତ ସିଂଙ୍କ ପରଲୋକ

ରାୟପୁର: ଦୀପାବଳି ପୂର୍ବଦିନ ରାତିରୁ ଲିଭିଗଲା ଛତିଶଗଡର ଜନତା କଂଗ୍ରେସ ବିଧାୟକ ଦେବବ୍ରତ ସିଂଙ୍କ ଜୀବନ ଦୀପ । ରାତିରେ ଶୋଇଥିବା ସମୟରେ ହୃଦଘାତରେ ଦେବବ୍ରତଙ୍କ ମୃତ୍ୟୁ ଘଟିଛି । ବୁଧବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ।
ହୃଦଘାତ ଅନୁଭବ କରିବା ପରେ ତାଙ୍କୁ ସିଭିଲ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ସେ ରାଜନନ୍ଦଗାଓଁ ବିଧାନସଭା ମଣ୍ଡଳୀର ବିଧାୟକ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ସମର୍ଥକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଦୀର୍ଘ ଦିନ ଧରି କଂଗ୍ରେସରେ ଥିବା ଦେବବ୍ରତ ସିଂ ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ସିଏମ ଅଜିତ ଯୋଗୀଙ୍କ ଦଳ ଜନତା କଂଗ୍ରେସ ଛତିଶଗଡ ଜେ (ଜେସିସି)ରେ ଯୋଗ ଦେଇଥିଲେ । ବିଧାନସଭା ନିର୍ବାଚନରେ ଜିତିଥିବା ପାଞ୍ଚଜଣ ଜେସିସି ସଦସ୍ୟଙ୍କ ମଧ୍ୟରୁ ଦେବବ୍ରତ ସିଂ ଅନ୍ୟତମ । ଏହାପୂର୍ବରୁ ସେ ଥରେ ଖଇରାଗଡର ବିଧାୟକ ଏବଂ ଥରେ କଂଗ୍ରେସ ଟିକେଟରେ ରାଜନନ୍ଦଗାଓଁର ସାଂସଦ ଥିଲେ ।
Powered by Froala Editor