କୋଭିସିଲ୍ଡ, ସିନୋଭାକ୍ ପରେ କୋଭାକ୍ସିନକୁ ଅନୁମତି ଦେଲା ଅଷ୍ଟ୍ରେଲିଆ
ଭାରତ ବାୟୋଟେକର କୋଭାକ୍ସିନକୁ ଅଷ୍ଟ୍ରେଲିଆ ସରକାର ସ୍ୱୀକୃତି ଦେଇଛନ୍ତି । ଏଥିସହ ଅନ୍ତରାଷ୍ଟ୍ରୀୟ ସୀମା ପ୍ରତିବନ୍ଧକ ଉପରେ ମଧ୍ୟ କଟକଣା କୋହଳ କରାଯାଇଥିବା ନେଇ ଅଷ୍ଟ୍ରେଲିଆ ଘୋଷଣା କରିଛି।
ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ଏନେଇ ଏକ ପ୍ରେସ ରିଲିଜ ଜାରି କରାଯାଇଛି। ଭାରତ ବାୟୋଟେକ୍ର କୋଭାକ୍ସିନ୍ ଏବଂ ଚୀନ୍ର ସିନୋଫାର୍ମ ଦ୍ୱାରା ନିର୍ମିତ ଟିକା ନେଇଥିବା ବ୍ୟକ୍ତି ଏଣିକି ଅଷ୍ଟ୍ରେଲିଆ ଯାତ୍ରା କରିପାରିବେ। କୋଭାକ୍ସିନ୍ ପାଇଁ ୧୨ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କ ଯାତ୍ରୀ ଏବଂ ଚୀନ୍ର BBIBP-CorV ପାଇଁ ୧୮ରୁ ୬୦ ବର୍ଷ ଟିକା ନେଇସାରିଥିବା ବ୍ୟକ୍ତିଙ୍କ ପାଇଁ ଏହି ଅନୁମତି ମିଳିଛି। ପୂର୍ବରୁ TGA କେବଳ ଅଷ୍ଟ୍ରେଲିଆରେ ବ୍ୟବହାର ପାଇଁ ଅନୁମୋଦିତ ଟିକା ଏବଂ ଭାରତରୁ କୋଭିସିଲ୍ଡ ଓ ଚାଇନାରୁ ସିନୋଭାକ୍ ଦ୍ୱାରା ପ୍ରସ୍ତୁତ ଟିକାକୁ ଯାତ୍ରା ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ଉଦ୍ଦେଶ୍ୟରେ ସ୍ୱୀକୃତି ଦିଆଯାଉ ବୋଲି ପରାମର୍ଶ ଦେଇଥିଲା। ଏବେ କିନ୍ତୁ ଅଷ୍ଟ୍ରେଲିଆ ଭାରତୀୟ ବାୟୋଟେକ୍ ଟିକା କୋଭାକ୍ସିନ୍କୁ ଅନୁମତି ଦେଇଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ତାଲିକାରେ ସ୍ଥାନ ଦେବାକୁ ଅଧିକ ତଥ୍ୟ ମଗାଯାଇଥିବାବେଳେ ଅଷ୍ଟ୍ରେଲିଆ ପକ୍ଷରୁ ଏହାକୁ ସ୍ୱୀକୃତି ପ୍ରଦାନ ଏହି ଉଦ୍ୟମକୁ ଆଉ ପାଦେ ଆଗେଇ ନେବ ବୋଲି ଆଶା କରାଯାଉଛି ।
Powered by Froala Editor