ଆଗାମୀ ନିର୍ବାଚନ ଲଢ଼ିବେନି ଅଖିଳେଶ

ସାମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ଉତ୍ତରପ୍ରଦେଶରେ ଆଗାମୀ ବର୍ଷ ଆରମ୍ଭରୁ ବିଧାନସଭା ନିର୍ବାଚନ ହେବାର ଅଛି। ଏହାକୁ ଦୃଷ୍ଟିରେ ରଖି ଅନେକ ପାର୍ଟ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। କିନ୍ତୁ ଅଖିଳେଶ ୨୦୨୨ରେ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି ।
ସେ ଏହା ମଧ୍ୟ କହିଛନ୍ତି ଯେ ଆଗାମୀ ନିର୍ବାଚନ ପାଇଁ ତାଙ୍କ ଦଳ ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମଧ୍ୟରେ ମେଣ୍ଟ ଗଠନ ପାଇଁ ବୁଝାମଣା ଚୂଡାନ୍ତ ହୋଇଛି । ଏହାପରେ ଆସନ ବୁଝାମଣା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।
ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ବର୍ଷ ଫେବ୍ରୁଆରୀ ଅଥବା ମାର୍ଚ୍ଚ ମାସରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ହରଦୋଇଠାରେ ଏକ ସମାବେଶରେ ଉଦବୋଧନ ଦେଇ ସେ କହିଛନ୍ତି, ସମାଜବାଦୀ ପାର୍ଟି ରାଜ୍ୟରେ ଶାସନ କ୍ଷମତାକୁ ଫେରିଲେ ରାଜ୍ୟ ପୁଣି ଅଭିବୃଦ୍ଧି ପଥକୁ ଫେରିବ । ଅଖିଳେଶ କହିଛନ୍ତି “ସର୍ଦ୍ଦାର ପଟେଲ, ମହାତ୍ମା ଗାନ୍ଧୀ, ଜୱାହରଲାଲ ନେହରୁ ଏବଂ ଜିନ୍ନା ଗୋଟିଏ ସଂସ୍ଥାନରେ ପାଠ ପଢ଼ି ବାରିଷ୍ଟର ହୋଇଥିଲେ। ସେମାନେ ଦେଶକୁ ସ୍ୱାଧୀନତା ଦେଇଥିଲେ। ସ୍ୱାଧିନତା ପାଇଁ ସେମାନେ ସଂଘର୍ଷ କରିବାକୁ ପଛେଇ ନଥିଲେ। ’ ତେବେ ଅଖିଳେଶ ଜିନ୍ନାଙ୍କୁ ମହାତ୍ମା ଗାନ୍ଧୀ ଓ ପଟେଲଙ୍କ ସହ ତୁଳନା କରିବା ବୟାନକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି।
Powered by Froala Editor