ବିବାଦ ପରେ ବିଜ୍ଞାପନ ହଟାଇଲେ ସବ୍ୟସାଚୀ
ମଙ୍ଗଳସୂତ୍ରକୁ ନେଇ ବିବାଦ ବଢ଼ିବାପରେ ନିଜ ବିଜ୍ଞାପନ ପ୍ରତ୍ୟାହାର କରି ନେଇଛନ୍ତି ପ୍ରସିଦ୍ଧ ଫ୍ୟାଶନ ଓ ଜୁଏଲାରୀ ଡିଜାଇନର୍ ସବ୍ୟସାଚୀ ମୁଖାର୍ଜୀ। ଏଥିସହ ସୋଶାଲ ମିଡିଆ ସାଇଟ୍ରୁ ମଧ୍ୟ ତାଙ୍କ ବିଜ୍ଞାପନର ପୋଷ୍ଟର ଆଉ ହୋର୍ଡିଂକୁ ହଟାଇ ଦେଇଛନ୍ତି। ସେ ରବିବାର ଦିନ ନିଜର ବିଜ୍ଞାପନ ପ୍ରତ୍ୟାହାର କରି କହିଛନ୍ତି, ‘ବିଜ୍ଞାପନ ଦ୍ୱାରା ସମାଜର ଏକ ବର୍ଗକୁ ମିଳିଥିବା କଷ୍ଟ ପାଇଁ ମୁଁ ଦୁଃଖିତ।’
ସବ୍ୟସାଚୀ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ଐତିହ୍ୟ ଏବଂ ସଂସ୍କୃତି ଉପରେ ଜାରି ଆଲୋଚନା ପୃଷ୍ଠଭୂମିରେ ମଙ୍ଗଳସୁତ୍ର ଅଭିଯାନର ଉଦ୍ଦେଶ୍ୟ ସମାବେଶିତା ଏବଂ ସଶକ୍ତିକରଣ ବିଷୟରେ କହିବାର ଥିଲା। ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ଉତ୍ସବ ପାଳନ କରିବା ଏବଂ ଆମେ ଗଭୀର ଦୁଃଖିତ ଯେ ଏହି କାରଣରୁ ଆମ ସମାଜର ଏକ ବର୍ଗ କ୍ଷତିଗ୍ରସ୍ତ ହୋଇଛି। ସେଥିପାଇଁ ଆମେ ଏହି ଅଭିଯାନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ। “
ନିକଟରେ ସବ୍ୟସାଚୀ ତାଙ୍କର ‘ଇଣ୍ଟିମେଟ୍ ଫାଇନ୍ ଜୁଏଲାର’ ନାମକ ଏକ ନୂଆ ଜୁଏଲାରୀ କଲେକସନ୍ ଲଞ୍ଚ କରିଥିଲେ। ଏଥିରେ ବେକରେ ମଙ୍ଗଳସୂତ୍ର ପକାଇ କିଛି ମଡେଲ ଲିଙ୍ଗରି ପିନ୍ଧିଥିବା ନଜର ଆସିଥିଲେ। ଏହାକୁ ନେଇ ଅନେକ ୟୁଜର୍ସ ଆପତ୍ତି ଉଠାଇଥିଲେ। ସୋଶାଲ ମିଡିଆରେ ସବ୍ୟସାଚୀଙ୍କ ବିଜ୍ଞାପନକୁ ନେଇ ଜୋରଦାର ବିବାଦ ଉଠିଥିଲା। ଏହା ଭାରତୀୟ ସଂସ୍କୃତିକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥିଲା।
ଏପରିକି ଏହି ବିଜ୍ଞାପନ ବିବାଦ ମଧ୍ୟପ୍ରଦେଶର ଗୃହମନ୍ତ୍ରୀଙ୍କ ପାଖରେ ଯାଇ ପହଞ୍ଚିଥିଲା। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ୨୪ ଘଣ୍ଟା ଭିତରେ ଏହି ବିଜ୍ଞାପନକୁ ହଟାଇବା ପାଇଁ ସବ୍ୟସାଚୀଙ୍କୁ ଚେତାବନୀ ଦେଇଥିଲେ। ଏହାପରେ ବାଧ୍ୟ ହୋଇ ଡିଜାଇନର ସବ୍ୟସାଚୀ ରବିବାର ନିଜ ବିଜ୍ଞାପନ ହଟାଇଛନ୍ତି।
Powered by Froala Editor