ଦୀପାବଳି ଭିଡ଼ : ଲୋକେ ମାନିଲେନି କଟକଣା, ମାସ୍କ ବି ପିନ୍ଧିଲେନି

ଦେଶରେ ସଂକ୍ରମଣ ହ୍ରାସ ପାଇଥିବାରୁ କିଛିଟା କଟକଣା କୋହଳ କରାଯାଇଛି । ଏଥିସହିତ କୋଭିଡ ନିୟମ ମାନିବାକୁ କହିଛନ୍ତି । କିନ୍ତୁ ଲୋକେ ନିୟମ ମାନିବା ତ ଦୂରର କଥା ମାସ୍କ ବି ପିନ୍ଧୁନାହାନ୍ତି । ଦୀପାବଳି ପୂର୍ବରୁ ନୂଆଦିଲ୍ଲୀ, ମଧ୍ୟପ୍ରଦେଶର ଭୋପାଳ, ତାମିଲନାଡୁର ଚେନ୍ନଇ ଆଦି ସହରରେ ରବିବାର ଯେଉଁଭଳି ଭାବରେ ଭିଡ ହୋଇଥିଲା, ତାହା ଦେଖିଲେ ଜନସାଧାରଣ କିଭଳି ବେପରୁଆ ହୋଇଯାଇଛନ୍ତି ତାହା ସ୍ପଷ୍ଟ ଜଣାପଡୁଥିଲା । ବଜାରରେ ଲୋକମାନେ ଦୀପାବଳି ପାଇଁ କିଣାକିଣି କରୁଥିଲେ । ସାମାଜିକ ଦୂରତା ତ ଦୂରର କଥା, ସଂଖ୍ୟାଧିକ ଲୋକଙ୍କ ମୁହଁରେ ମାସ୍କ ମଧ୍ୟ ନଥିଲା ।
ଦିଲ୍ଲୀର ସଦର ବଜାର, ଚାନ୍ଦନି ଚୌକ, ଲଜପତ ନଗର, ଲାଲ କ୍ୱାର୍ଟର କୃଷ୍ଣ ନଗର, କରୋଲ ବାଗ, କମଳା ନଗର, ରାଜୌରୀ ଗାର୍ଡେନ ଏବଂ ତିଲକ ନଗର ଆଦି ବଜାରରେ ରବିବାର ଅସମ୍ଭବ ଭିଡ ଲାଗିଥିଲା । କହିବାକୁ ଗଲେ ବଜାରରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଦିଲ୍ଲୀ ସଦର ବଜାର ମାର୍କେଟ ଆସୋସିଏସନ ସଭାପତି ଦେବରାଜ ବାୱେଜା କହିଛନ୍ତି । ଦୀପାବଳି ପୂର୍ବରୁ ରବିବାର ବିପୁଳ ସଂଖ୍ୟକ ଲୋକ ବଜାରକୁ ଆସିବା ଆଶା କରାଯାଉଥିବାବେଳେ ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟାପକ ବନ୍ଦୋବସ୍ତ କରାଯାଇନଥିବା ସେ କହିଛନ୍ତି । ଏଭଳି ପରିସ୍ଥିତି ପୁଣି ବିପଦକୁ ଟାଣି ଆଣିବ ବୋଲି ଆଲୋଚନା ହେଉଛି । ବଜାର ଭିଡ ନିୟନ୍ତ୍ରଣ କରିବାକୁ ପୁଲିସ ଫୋର୍ସ ଜଗିବା ଦରକାର ବୋଲି ମତପ୍ରକାଶ ପାଇଛି । ନଚେତ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ।
Powered by Froala Editor