ମମିତା ହତ୍ୟାକାଣ୍ଡ ଘଟଣା, ଆଜି ଆସିବେ ବିଜେପି କେନ୍ଦ୍ରୀୟ ଟିମ
ଭୁବନେଶ୍ବର: ମମିତା ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଆଜି ୩ ଜଣିଆ ପ୍ରତିନିଧି ଦଳ ଓଡିଶା ଗସ୍ତ କରିବେ । ଘଟଣା ସମ୍ପର୍କରେ ବିସ୍ତୃତ ଅନୁଧ୍ୟାନ କରିବ ଟିମ । ଏହି ପ୍ରତିନିଧି ଦଳରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାନଥା ଶ୍ରୀନିବାସ, ସାଂସଦ ସୁନୀତା ଦୁଗଲ ଓ ବିଧାୟିକା ରୁପା ମିତ୍ର ସାମିଲ ଅଛନ୍ତି । ପ୍ରତିନିଧି ଦଳ ଘଟଣା ସମ୍ପର୍କରେ ସଂପୂର୍ଣ୍ଣ ବିବରଣୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ପ୍ରଦାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ହେବ । ଏ ନେଇ ପୂର୍ବରୁ ସୂଚନା ଦେଇଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମମିତା ହତ୍ୟାକାଣ୍ଡ ଘଟଣାକୁ ନିନ୍ଦା କରିଛନ୍ତି । ଏ ବିଷୟରେ ସବୁ ଜାଣି ମଧ୍ୟ ମୁ୍ଖ୍ୟମନ୍ତ୍ରୀ ଚୁପ ଅଛନ୍ତି । ଅପରାଧୀଙ୍କ ପାଇଁ ରାଜ୍ୟ ସରକାରଙ୍କ କୋହଳ ମନୋଭାବ ସେମାନଙ୍କୁ ପ୍ରତ୍ୟକ୍ଷ ସୁରକ୍ଷା ଦେଉଛି । ଫଳରେ ରାଜ୍ୟରେ ମହିଳାମାନଙ୍କ ପ୍ରତି ହିଂସା ଓ ନିର୍ୟାତନା ବୃଦ୍ଧି ପାଉଛି ବୋଲି କହିଥିଲେ ସମ୍ବିତ ପାତ୍ର ।
ପ୍ରକାଶ ଥାଉକି, ଗତକାଲି(ଗୁରୁବାର) ଜାତୀୟ କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସିଂ ସୁରଜେୱାଲା ମମିତାଙ୍କ ପରିବାରକୁ ଭେଟିଥିଲେ । ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରଣଦୀପ ସିଂ ସୁରଜେୱାଲା । ଏହାସହ ପୀଡିତାଙ୍କ ପରିବାରକୁ ରାଜ୍ୟ ସରକାର ୧ କୋଟି ସହାୟତା, ମମିତାଙ୍କ ଭାଇଙ୍କୁ ଚାକିରି, ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଓ ୯୦ ଦିନ ଭିତରେ ତଦନ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି ରଣଦୀପ ସିଂ ସୁରଜେୱାଲା ।
Powered by Froala Editor