ଉତ୍ତରାଖଣ୍ଡରେ ବିଭୀଷିକା: ୩୪ ଜଣଙ୍କ ମୃତ୍ୟୁ, ଅନେକଙ୍କ ପତ୍ତା ମିଳୁନି
ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଜଳପ୍ରଳୟର ବିଭୀଷିକା ଯୋଗୁଁ ସରକାରୀ ହିସାବରେ ପ୍ରାୟ ୩୪ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ଏହା ସହିତ ଯେଉଁମାନଙ୍କର ଘର କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ୧.୯ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇଦେବାକୁ ଘୋଷଣା ହୋଇଛି ।
ଲଗାଣ ବର୍ଷା ଯୋଗୁଁ ଉତ୍ତରାଖଣ୍ଡରେ ବ୍ୟାପକ କ୍ଷୟକ୍ଷତି ରିପୋର୍ଟ ହୋଇଛି । ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍ ଟିମର ୧୫ଟି ଟିମ ସାମିଲ ହୋଇଛନ୍ତି । ଉଧମସିଂହ ନଗରରେ ବର୍ତ୍ତମାନ ସୁଦ୍ଧା ୩୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି । ସେହିଭଳି ରାମନଗର-ରାନୀଖେତରେ ଫସିଥିବା ପ୍ରାୟ ୨୦୦ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।
ବଦ୍ରିନାଥ ହାଇେଓ୍ୱର ଲାମ୍ବାଡ଼ରେ ଭୂସ୍ଖଳନ ଯୋଗୁଁ କାର ରାସ୍ତା ତଳକୁ ଖସିଯାଇ ଗୋଟିଏ ସ୍ଥାନରେ ଫସିରହିଥିଲା । ବେଶ୍ କିଛି ସମୟର ସଂଘର୍ଷ ପରେ ଜେସିବି ସହାୟତାରେ ଉଦ୍ଧାର କରାଯିବାରୁ ନିଶ୍ଚିତ ମୃତ୍ୟୁ ମୁଖରୁ ଯାତ୍ରୀଙ୍କୁ ରକ୍ଷା କରାଯାଇ ପାରିଛି। ଚମୋଲୀ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ନନ୍ଦାକିନୀ ନଦୀ ଫୁଲିବାରେ ଲାଗିଛି । ରାମନଗର-ରାନୀକ୍ଷେତ ରୁଟ୍ରେ ପଡୁଥିବା ଲେମନ୍ ଟ୍ରି ରେସର୍ଟରେ ଶହେରୁ ଉର୍ଦ୍ଧ ଯାତ୍ରୀ ଫସି ରହିଛନ୍ତି ।
କୋଶି ନଦୀର ପାଣି ରିସର୍ଟକୁ ପଶି ଆସିଥିବାରୁ ଏହି ରୁଟ୍ରେ ଗମନା ଗମନ ବାଧାପ୍ରାପ୍ତ ହୋଇଛି। ଗତକାଲି ଏସ୍ଡିଆରଏଫ ଏବଂ ରାଜ୍ୟ ପୋଲିସ ଜଙ୍ଗଲ ଭିତରୁ ୨୨ରୁ ଅଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। ଏମାନେ କେଦାରନାଥଙ୍କ ଦର୍ଶନ ପାଇଁ ଯାଉଥିଲେ। ରାଜ୍ୟର ସ୍ଥିତି ସଂପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଋଷିକେଶକୁ ସଂଯୋଗ କରୁଥିବା ଚନ୍ଦ୍ରଭାଗା ବ୍ରିଜ୍, ତପୋବନ, ଲକ୍ଷ୍ମଣ ଝୁଲା, ମୁନି-କି-ରେତି ଓ ଭଦ୍ରକାଳୀରେ ଯାତ୍ରା କଟକଣା ଲାଗୁ ହୋଇଛି । ସେପଟେ କେରଳରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ବର୍ଷା ଥମି ନାହିଁ । ପୁଣି ୧୧ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
Powered by Froala Editor