ନୂତନ ଦଳ ଗଢିବେ କ୍ୟାପଟେନ୍ ଅମରିନ୍ଦର, ବିଜେପି ସହ ହୋଇପାରେ ମେଣ୍ଟ
ପ୍ରାୟ ଏକ ମାସ ପୂର୍ବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ୍ ଅମରିନ୍ଦର ସିଂହ ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ନିଜ ପତ୍ତା ଖୋଲିଛନ୍ତି। ନିଜର ପ୍ଲାନ୍ ଉପରୁ ସସପେନ୍ସ ହଟାଇ ଅମରିନ୍ଦର ନୂତନ ପାର୍ଟି ଗଢିବାକୁ ଘୋଷଣା କରିଛନ୍ତି। ତେବେ ଏହି ନିର୍ବାଚନରେ ବିଜେପି ସହ ଦଳ ମେଣ୍ଟ କରିପାରେ।
ଅମରିନ୍ଦର ଏହା ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ତିନି କୃଷି ଆଇନ ବିରୋଧରେ ଦୀର୍ଘ ସମୟ ଧରି ଜାରି ଆନ୍ଦୋଳନର ସମାଧାନ ଶୀଘ୍ର ହୋଇପାରେ। ତିନି କୃଷି ଆଇନ୍ ପ୍ରସଙ୍ଗରେ ସନ୍ତୋଷଜନକ ସମାଧାନ ମିଳିଲେ ସେ ବିଜେପି ସହ ମେଣ୍ଟ କରି ପାରନ୍ତି। ବିଜେପି ସହ ଆସନ ଭାଗବଣ୍ଟା ମଧ୍ୟ ହୋଇପାରେ ବୋଲି ଅମରିନ୍ଦର ସିଂ ଘୋଷଣା କରିଛନ୍ତି ।
ବିଶେଷ କରି କୃଷକମାନେ ଦୀର୍ଘ ଦିନ ଧରି ଲଢ଼େଇ ଜାରି ରଖିଥିବାରୁ ସେମାନଙ୍କ ସହ ଦଳ ଠିଆ ହେବ ବୋଲି କୁହାଯାଇଛି। ଏନେଇ ଅମରିନ୍ଦରଙ୍କ ମିଡିଆ ଉପଦେଷ୍ଟା ରବିନ୍ ଥୁକରାଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଯଦି କୃଷକ ଆନ୍ଦୋଳନର ସମାଧାନ ହୋଇଯାଏ ତେବେ ଦଳ ବିଜେପି ସହ ମେଣ୍ଟ କରିବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ତାଙ୍କ ଦଳ ଅକାଳି ଦଳ ସହ ମେଣ୍ଟ କରିପାରେ ବୋଲି କୁହାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେ ପର୍ଯ୍ୟନ୍ତ ମୁଁ ନିଜର ଲୋକ ଏବଂ ରାଜ୍ୟର ଭବିଷ୍ୟତ ସୁରକ୍ଷିତ ନ କରିଛି, ସେ ପର୍ଯ୍ୟନ୍ତ ଶାନ୍ତିରେ ବସିବି ନାହିଁ। ପଞ୍ଜାବକୁ ରାଜନୈତିକ ସ୍ଥିରତା ଏବଂ ଆଭ୍ୟନ୍ତରୀଣ ଓ ବାହ୍ୟ ବିପଦରୁ ସୁରକ୍ଷା ଦିଆଯିବାର ଆବଶ୍ୟକତା ରହିଛି।
Powered by Froala Editor