ପୁଣି ୧୩ କୁମ୍ଭମେଳା ଫେରନ୍ତା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ଖବର ସାମନାକୁ ଆସିଛି । ତାହା ହେଲା କଟକରେ କୁମ୍ଭମେଳା ଫେରନ୍ତା ଆଉ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ରେଳ ଷ୍ଟେସନରେ ଆରଟି-ପିସିଆର ଟେଷ୍ଟରେ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୩ ପଜିଟିଭ ଚିହ୍ନଟ ନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ମଧ୍ୟ କୁମ୍ଭମେଳା ଫେରନ୍ତା ୧୩ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।
ପ୍ରକାଶ ଯେ, ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୮୫୧ ଜଣ କରୋନା ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୨୮୧୪ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୨୦୩୭ ଜଣ ଆକ୍ରାନ୍ତ ହୋଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୧୧, ବାଲେଶ୍ୱରରେ ୫୨, ବରଗଡ଼ରେ ୩୧୮, ଭଦ୍ରକରେ ୭୩, ବଲାଙ୍ଗୀରରେ ୨୨୭, ବୌଦ୍ଧରେ ୨୨, କଟକରେ ୩୦୪, ଦେବଗଡ଼ରେ ୩୫, ଢେଙ୍କାନାଳରେ ୩୧, ଗଜପତିରେ ୩୫, ଗଞ୍ଜାମରେ ୧୫୧, ଜଗତସିଂହପୁରରେ ୩୯, ଯାଜପୁରରେ ୬୪, ଝାରସୁଗୁଡ଼ାରେ ୨୯୦, କଳାହାଣ୍ଡିରେ ୭୯, କନ୍ଧମାଳରେ ୨୭, କେନ୍ଦ୍ରାପଡ଼ାରେ ୫୮, କେନ୍ଦୁଝରରେ ୧୬୬, ଖୋର୍ଦ୍ଧାରେ ୭୦୩, କୋରାପୁଟରେ ୬୨, ମାଲକାନାଗିରିରେ ୩୧, ମୟୂରଭଞ୍ଜରେ ୭୮, ନବରଙ୍ଗପୁରରେ ୧୯୪, ନୟାଗଡ଼ରେ ୬୬, ନୂଆପଡ଼ାରେ ୪୮୬, ପୁରୀରେ ୨୨୩, ରାୟଗଡ଼ାରେ ୮୫, ସମ୍ବଲପୁରରେ ୧୭୧, ସୋନପୁରରେ ୯, ସୁନ୍ଦରଗଡ଼ରେ ୫୧୬, ରାଜ୍ୟ ପୁଲରେ ୧୪୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।
Powered by Froala Editor