ସରକାରୀ ଅଫିସରେ କିନ୍ନର କର୍ମଚାରୀଙ୍କ ସହ କେହି କରିପାରିବେ ନାହିଁ ଭେଦଭାବ
ଭୁବନେଶ୍ୱର : କୌଣସି ସରକାରୀ ଅଫିସରେ କିନ୍ନର କର୍ମଚାରୀଙ୍କ ସହ କେହି ଭେଦଭାବ କରିପାରିବେ ନାହିଁ । ପଦବି, ତାଲିମ, ପଦୋନ୍ନତି ଓ ବଦଳି ଆଦି କ୍ଷେତ୍ରରେ ସେମାନଙ୍କ ସହ କୌଣସି ପ୍ରକାର ଭେଦଭାବ ରହିବ ନାହିଁ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ କିନ୍ନରଙ୍କ ପାଇଁ ସମାନ ସୁଯୋଗ ନୀତି ପ୍ରଣୟନ କରାଯାଇଛି । ଆଜି ଏହି ମର୍ମରେ ସବୁ ସରକାରୀ ବିଭାଗକୁ ନିଦେ୍ର୍ଧଶନାମା ଜାରି ହୋଇଛି । ଏଥିରେ ସତର୍କ କରାଇ ଦିଆଯାଇଛି କିନ୍ନର କର୍ମଚାରୀଙ୍କ ସହ ଅଫିସରେ ଭେଦଭାବ କରାଗଲେ ତାହାକୁ ଚାକିରି ସର୍ତ୍ତାବଳୀ ଆଚରଣର ଉଲ୍ଲଂଘନ ଭାବେ ବିଚାର କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଜ୍ଞପ୍ତିରେ ଥିବା ବ୍ୟବସ୍ଥା ଅନୁଯାୟୀ କିନ୍ନରମାନଙ୍କୁ ସମାନ ଅଧିକାର ଓ ସୁଯୋଗ ଦେବା ପାଇଁ କେନ୍ଦ୍ର ସରକାରଙ୍କ ୨୦୨୦ ମସିହାର ରୁଲସ୍ ଏବଂ କିନ୍ନର (ସୁରକ୍ଷାର ଅଧିକାର) ଆଇନ ୨୦୧୯ ଅନ୍ତର୍ଗତ ବ୍ୟବସ୍ଥାରେ କିନ୍ନରମାନଙ୍କୁ କାର୍ଯ୍ୟସ୍ଥଳୀରେ ଭେଦଭାବପୂର୍ଣ୍ଣ ପରିବେଶରୁ ସୁରକ୍ଷା ଦେବା ପାଇଁ କୁହାଯାଇଛି । ଲିଙ୍ଗଗତ କାରଣରୁ କିନ୍ନରଙ୍କୁ କୌଣସି ପ୍ରକାରର ସୁଯୋଗରୁ ବଞ୍ଚିତ ହେବାକୁ ପଡ଼ିବ ନାହିଁ । ଯଦି ସେଭଳି ହୁଏ, ତେବେ କିନ୍ନର କର୍ମଚାରୀମାନେ ତୁରନ୍ତ ଅଭିଯୋଗ କରିପାରିବେ । କିନ୍ନରଙ୍କ ଅଭିଯୋଗ ଶୁଣିବା ପାଇଁ ପ୍ରତ୍ୟେକ ବିଭାଗ ଜଣେ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ କ୍ଷମତାପ୍ରାପ୍ତ କରାଇବେ । ଅଭିଯୋଗ ଉପରେ ତଦନ୍ତ ରିପୋର୍ଟ ଆସିବାର ୧୫ ଦିନ ମଧ୍ୟରେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ବିଭାଗୀୟ ମୁଖ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଯଦି କିନ୍ନରଙ୍କ ଅଭିଯୋଗ ଉପରେ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହୋଇନଥିବ ତା’ହେଲେ ସମ୍ପୃକ୍ତ ପ୍ରଶାସନିକ ବିଭାଗ ଏ ଦିଗରେ ନିଜ ଆଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ଅଫିସରେ କିନ୍ନର କର୍ମଚାରୀମାନେ ଯେପରି ସୁରୁଖୁରୁରେ ନିଜ କାର୍ଯ୍ୟ କରିପାରିବେ, ସେଥି ପାଇଁ ଉପରିସ୍ଥ ଅଧିକାରୀ ସମସ୍ତ ପ୍ରକାର ବନେ୍ଦାବସ୍ତ କରିବେ । କିନ୍ନରଙ୍କ ପାଇଁ ସମାନ ସୁଯୋଗ ନୀତି ସମ୍ପର୍କରେ ସବୁ କର୍ମଚାରୀଙ୍କୁ ଅବଗତ କରାଇବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନେବା ନିମନ୍ତେ କୁହାଯାଇଛି ।
Powered by Froala Editor