ଗାଉଁଲି ଓଡିଆଙ୍କ ମୁଣ୍ଡରେ ଋଣ ଭାର, ଜାଣନ୍ତୁ କେତେ
ଭୁବନେଶ୍ୱର: ରାଜ୍ୟରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନେ କରଜ ଉପରେ ଅଧିକ ନିର୍ଭରଶୀଳ ରହିଛନ୍ତି । ଜୀବନଯାପନ କରିବା ଲାଗି ସେମାନଙ୍କୁ ଧାର କରଜ କରିବାକୁ ପଡ଼ୁଛି । ରାଜ୍ୟରେ ଗ୍ରାମାଞ୍ଚଳରେ ଋଣଗ୍ରସ୍ତତା ହାର ୪୦.୫% ରହିଛି । ଏହା ସହରାଞ୍ଚଳର ଋଣଗ୍ରସ୍ତତା ହାର ୨୦.୯% ତୁଳନାରେ ପ୍ରାୟ ଦୁଇ ଗୁଣା ଅଧିକ । ରେଟିଂ ଏଜେନ୍ସି ଇଣ୍ଡିଆ ରେଟିଂସର ସଦ୍ୟତମ ରିପୋର୍ଟରୁ ଏହା ଜଣାପଡ଼ିଛି । ୨୦୧୩ ତୁଳନାରେ ୨୦୧୯ରେ କରଜ ସ୍ଥିତିରେ ବଡ଼ ଧରଣର ବୃଦ୍ଧି ହୋଇଛି । ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଋଣ ବୃଦ୍ଧି ପାଇଛି । ୨୦୧୩ରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଋଣଗ୍ରସ୍ତତା ହାର ଯଥାକ୍ରମେ ୨୫.୭୩% ଓ ୧୮.୭୦ ପ୍ରତିଶତ ଥିଲା । ଏହାର ପରବର୍ତ୍ତୀ ୬ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ କରଜ କରୁଥିବା ପରିବାର ସଂଖ୍ୟାରେ ବଡ଼ ଧରଣର ବୃଦ୍ଧି ହୋଇଥିବା ବେଳେ ସହରାଞ୍ଚଳରେ ସାମାନ୍ୟ ବୃଦ୍ଧି ଘଟିଛି ।
ଇଣ୍ଡିଆ ରେଟିଂସ ରିପୋର୍ଟରୁ ଜଣାପଡ଼ିଛି ଯେ ଗ୍ରାମାଞ୍ଚଳରେ ବାସ କରୁଥିବା ପରିବାରଗୁଡ଼ିକ କୃଷି, ଗୃହ ଏବଂ ପରିବାର ଚଳାଇବା ଲାଗି ବ୍ୟାଙ୍କ ଭଳି ସଂସ୍ଥା ଠାରୁ ଋଣ ନେଉଛନ୍ତି । ଘର ଓ ଗୁଜୁରାଣ ମେଣ୍ଟାଇବା ପାଇଁ ସେମାନେ ଅଣ ସଂଗଠିତ କ୍ଷେତ୍ରରୁ କରଜ କରୁଛନ୍ତି । ଆଶ୍ଚର୍ଯ୍ୟର ବିଷୟ ହେଉଛି ମେଡିକାଲ୍ ଖର୍ଚ୍ଚ ସମୟରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନେ ଅଣ ସଂଗଠିତ କ୍ଷେତ୍ରରୁ କରଜ କରୁଛନ୍ତି । ଭାରତୀୟ ଅର୍ଥନୀତିରେ ହେଉଥିବା ନିବେଶର ୪୦% ପରିବାରଗୁଡ଼ିକ କରୁଛନ୍ତି । ସେମାନଙ୍କ ୭୨% ପୁଞ୍ଜିନିବେଶ ରିଅଲ ଇଷ୍ଟେଟ ସମ୍ପତ୍ତିରେ କରାଯାଇଛି । ଗତବର୍ଷ ଦେଶରେ କୋଭିଡ ମହାମାରୀ ବ୍ୟାପିବା ପରେ ଅନେକ ପରିବାର କରଜ କରିବାକୁ ବାଧ୍ୟ ହୋଇଛନ୍ତି । ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି ଯେ ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ସଂସ୍ଥାଗତ ଋଣ ଅନୁପାତ ୨୦୨୦-୨୧ ଆର୍ଥôକ ବର୍ଷର ତୃତୀୟ ତ୍ରୟମାସରେ ୩୭.୯%କୁ ବୃଦ୍ଧି ପାଇଛି । ୨୦୧୯-୨୦ର ଚତୁର୍ଥ ତ୍ରୟମାସରେ ଏହି ହାର ୩୩.୮% ଭଳି ସ୍ତରରେ ରହିଥିଲା । ଯେହେତୁ କୋଭିଡ୍ ମହାମାରୀର ବିପଦ ଏବେବି ରହିଛି ତେଣୁ ପରିବାରଗୁଡ଼ିକର ଆୟ କିମ୍ବା ସମ୍ପତ୍ତି ମୂଲ୍ୟରେ ଆଖିଦୃଶିଆ ବୃଦ୍ଧି ହେବାର ବହୁତ କମ୍ ସମ୍ଭାବନା ରହିଛି ବୋଲି ଇଣ୍ଡିଆ ରେଟିଂସ ଜଣାଇଛି । ଆଗାମୀ କିଛି ମାସ ପର୍ଯ୍ୟନ୍ତ ପରିବାରଗୁଡ଼ିକ କେବଳ ‘ଆବଶ୍ୟକ’ ବ୍ୟୟ ଉପରେ ଗୁରୁତ୍ୱ ଦେବେ । ତେଣୁ ଅର୍ଥନୀତିରେ ସୁଧାର ଆଣିବାକୁ ହେଲେ ସରକାରଙ୍କୁ ନୀତି ଭିତ୍ତିକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ଏବଂ ବ୍ୟୟ ବଢ଼ାଇବାକୁ ହେବ । ଏହା ହେଲେ ଅର୍ଥନୀତିରେ ଆରମ୍ଭ ହୋଇଥିବା ସୁଧାର ପ୍ରକ୍ରିୟା ଜାରି ରହିବ । ସର୍ବଭାରତୀୟ ସ୍ତରରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ପରିବାର ଋଣ ସର୍ବୋଚ୍ଚ ସ୍ତରରେ ରହିଛି । ଏହି ରାଜ୍ୟଗୁଡ଼ିକର ମୁଣ୍ଡପିଛା ଆୟ ଅଧିକ ଥିବା ବେଳେ ପରିବାର ଋଣ ଅଧିକ ରହୁଥିବାରୁ ଅର୍ଥନୀତିକୁ ଯେଉଁ ସୁଫଳ ମିଳିବା କଥା ତାହା ମିଳୁନାହିଁ । ଗ୍ରାମୀଣ ପରିବାର ଋଣ ହାର ତେଲେଙ୍ଗାନାରେ ସର୍ବାଧିକ ୬୭.୨% ଥିବା ବେଳେ ନାଗାଲ୍ୟାଣ୍ଡର ସର୍ବନିମ୍ନ ୬.୬% ରହିଛି । ସେହିପରି, ସହରାଞ୍ଚଳ ପରିବାର ହାର କେରଳରେ ସର୍ବାଧିକ ୪୭.୮ ପ୍ରତିଶତ ଥିବା ବେଳେ ମେଘାଳୟରେ ସର୍ବନିମ୍ନ ୫.୧% ରହିଛି ।
Powered by Froala Editor