ଦେଶ ଉଦ୍ଦେଶ୍ୟରେ ୩୫ ଶସ୍ୟ କିସମ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
![ଦେଶ ଉଦ୍ଦେଶ୍ୟରେ ୩୫ ଶସ୍ୟ କିସମ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ](https://odishanewslens.com/news_gallery/6522_1632901624.jpg)
ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଦ୍ବାରା ବିକଶିତ ୩୫ଟି ଶସ୍ୟ କିସମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଓ ଅପପୁଷ୍ଟି ପରି ଯୁଗ୍ମ ଆହ୍ବାନକୁ ମୁକାବିଲା କରିବାରେ ଏହା ସମର୍ଥ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଇସିଏଆର, ରାଜ୍ୟ ଓ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଭିନ୍ନ ଭିନ୍ନ ପରିସ୍ଥିତିକୁ ଧ୍ୟାନରେ ରଖି ଏହି କିସମଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ଯେତେବେଳେ ବିଜ୍ଞାନ, ସରକାର ଓ ସମାଜ ମିଳିମିଶି କାମ କରିବେ ସେତେବେଳେ ପରିଣାମ ଆହୁରି ଭଲ ହେବ । ଚାଷୀ ଓ ବୈଜ୍ଞାନିକଙ୍କ ଏହି ମେଣ୍ଟ ନୂଆ ଚାଲେଞ୍ଜର ମୁକାବିଲା କରିବାରେ ଦେଶର ଶକ୍ତିକୁ ବୃଦ୍ଧି କରିବ ।
ପିଏମ୍ଓର ସୂଚନା ଅନୁସାରେ, ଆମ କୃଷି ବୈଜ୍ଞାନକମାନଙ୍କ ଦ୍ବାରା ବିକଶିତ ଏହି ୩୫ଟି ଶସ୍ୟରେ ଅଧିକ ପୌଷ୍ଟିକ ତତ୍ତ୍ବ ରହିଛି ଏବଂ ଏଗୁଡ଼ିକ ପ୍ରତିକୂଳ ପାଣିପାଗ ବା ଅତିବୃଷ୍ଟି ଓ ଅନାବୃଷ୍ଟି ପରି ପରିସ୍ଥିତିରେ ବି ତିଷ୍ଠି ରହିପାରିବ। ଏଗୁଡ଼ିକ ମଧ୍ୟରେ ଅଛି ମରୁଡ଼ି ସହନଶୀଳ ଚିକ୍ପି (ଚଣା), ୱିଲ୍ଟ ଓ ଷ୍ଟେରିଲିଟି ମୋଜାଇକ୍ ପରି ଫସଲରୋଗ ବିରୋଧରେ ଲଢ଼ିପାରୁଥିବା ପିଜନପି (ମସୁରଡାଲି), ସଅଳ ଅମଳକ୍ଷମ ସୋୟାବିନ୍, ରୋଗ-ପ୍ରତିରୋଧକ୍ଷମ ଧାନ ଏବଂ ଜୈବବିବର୍ତ୍ତିତ କିସମର ଗହମ, ପର୍ଲ ମିଲେଟ୍ (ବାଜରା), ମକା, ଓ ଚଣା, କିନୁଆ, ବକ୍ହ୍ବିଟ୍ (କୁଟ୍ଟୁ), ୱିଙ୍ଗ୍ଡ ବିନ୍ (ଡେଣାଯୁକ୍ତ ଶିମ୍ବ), ଫାବା ବିନ୍ (ଫାବା ଶିମ୍ବ) ପ୍ରଭୃତି। ଏହିସବୁ ଶସ୍ୟରେ ବିଶେଷ ପୌଷ୍ଟିକ ତତ୍ତ୍ବ ରହିଛି, ଯାହା ସ୍ବାସ୍ଥ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିବ।
ଜଳବାୟୁ ପରିବର୍ତ୍ତନ ଯୋଗୁ ଯେଉଁ ନୂଆ ପ୍ରକାର କୀଟ, ରୋଗ, ମହାମାରୀ ହେଉଛି ତା’ର ପ୍ରଭାବ ମଣିଷ ଓ ପଶୁଧନର ସ୍ୱାସ୍ଥ୍ୟ ଉପରେ ବି ପଡୁଛି । ସେଥିଯୋଗୁ ଫସଲ ବି ପ୍ରଭାବିତ ହେଉଛି । ଏହି ଦିଗଗୁଡ଼ିକ ଉପରେ ଗଭୀର ଗବେଷଣା ନିରନ୍ତର ଜରୁରି । ବିଗତ ୬-୭ ବର୍ଷ ହେଲା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ କୃଷିକ୍ଷେତ୍ର ସହ ଜଡ଼ିତ ଚାଲେଞ୍ଜର ସମାଧାନ ପାଇଁ ପ୍ରାଥମିକତା ଦିଆଯାଉଛି । ପରିବର୍ତ୍ତିତ ଜଳବାୟୁରେ ଅଧିକ ପୋଷଣଯୁକ୍ତ କିସମ ଉପରେ ଆମର ଫୋକସ୍ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ରାୟପୁର ଠାରେ ନବନିର୍ମିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ବାୟୋଟିକ ଷ୍ଟ୍ରେସ ଟଲରେନ୍ସ କ୍ୟାମ୍ପସର ଲୋକାର୍ପଣ କରିଥିଲେ । ଏଥିସହ ପ୍ରଧାନମନ୍ତ୍ରୀ ବିଭିନ୍ନ କୃଷି ବିଶ୍ୱବିଦ୍ୟାଳୟକୁ ଗ୍ରୀନ କ୍ୟାମ୍ପସ ଆୱାର୍ଡ ପ୍ରଦାନ କରିଥିଲେ ।
ଏହି ଅବସରରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଲେ ଯେ, ଦେଶର ୮୬ ପ୍ରତିଶତ କୃଷକ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ଏହିସବୁ ଶସ୍ୟଚାଷ ସେମାନଙ୍କ ଆୟବୃଦ୍ଧିରେ ସାହାଯ୍ୟ କରିବ।
Powered by Froala Editor