ବଡ଼ ଘୋଷଣା କଲେ ଏସଆର୍ସି: ମେ ୧୫ ଯାଏଁ ଶନିବାର ଓ ରବିବାର ସଟ୍ଡାଉନ୍

ସାରା ରାଜ୍ୟରେ ଶନିବାର ଏବଂ ରବିବାର ରାଜ୍ୟର ସମସ୍ତ ଜିଲ୍ଲାର ସହରାଞ୍ଚରେ ସଟ୍ଡାଉନ୍ ଘୋଷଣା କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର । ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପକ ହେଉଥିବାରୁ ସଂକ୍ରମଣ କମାଇବାକୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆସନ୍ତା ୨୪ ତାରିଖରୁ ମେ ୧୫ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ସପ୍ତାହନ୍ତ ସଟ୍ଡାଉନ୍ । ଅତ୍ୟାବଶ୍ୟକ ସେବାକୁ ସଟ୍ଡାଉନ୍ ନିୟମରୁ ବାଦ ଦିଆଯାଇଛି । ଏହା ସହିତ ୩୦ଟି ଯାକ ଜିଲ୍ଲାରେ ରାତ୍ରୀ କାଳୀନ କର୍ଫ୍ୟୁ ବଳବତ୍ତର ରହିବ । ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେହିପରି ଯାତ୍ରା, ଅପେରା, ମୁକ୍ତାକାଶ ରଂଗମଞ୍ଚ ବନ୍ଦ କରିଛନ୍ତି ସରକାର।
କୋଭିଡ୍ ଗାଇଡଲାଇନ୍କୁ କଡ଼ାକଡ଼ି କରି ବିବାହ ଶୋଭାଯାତ୍ରା ଉପରେ ସମ୍ପୂର୍ଣ୍ଣ କଟକଣା ସରକାର ଜାରି କରିଥିବାବେଳେ ବାହାଘରରେ ଯୋଗ ଦେବାକୁ ଥିବା ସର୍ବାଧିକ ୫୦ଜଣଙ୍କ ତାଲିକା ସ୍ଥାନୀୟ ପ୍ରଶାସନକୁ ଦେବାକୁ ପଡ଼ିବ। ବିବାହ ଶୋଭାଯାତ୍ରା କଲେ ଗାଡ଼ି, ମାଇକ, ବ୍ୟାଣ୍ଡପାର୍ଟି ଜବତ ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହୋଟେଲ, ରେଷ୍ଟୁରାଣ୍ଟରେ ବାହାର ଲୋକ ବସି ଖାଇବା ଉପରେ କଟକଣା ଜାରି କରାଯିବା ସହ କେବଳ ଘରକୁ ଖାଇବା ସାମଗ୍ରୀ ଆଣିହେବ ବୋଲି ଏସଆରସି କହିଛନ୍ତି। ଏହାସହିତ ଗାଁ ଗହଳିରେ ଭୋଜିଭାତ ଆୟୋଜନ ଉପରେ କଟକଣା ଜାରି କରାଗଲା ବୋଲି କହିଛନ୍ତି। ଯେଉଁମାନେ ଏହି ନିୟମ ଅମାନ୍ୟ କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଶ୍ରୀ ଜେନା କହିଛନ୍ତି ।
ସ୍ବତନ୍ତ୍ର ରିଲିଫ୍ କମିସନର କହିଛନ୍ତି, ‘ମହାରାଷ୍ଟ୍ର, ଛତିଶଗଡ, ଦିଲ୍ଲୀ, ମଧ୍ୟ ପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟରେ ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ଲାଗୁ ହେବା ଆଶଙ୍କା ଦେଖା ଦେଇଛି । ଦିଲ୍ଲୀ ସରକାର ମଧ୍ୟ ରାଜ୍ୟରେ ୭ ଦିନିଆ ସଟ୍ଡାଉନ୍ ଘୋଷଣା କରିଛନ୍ତି । ସେହିଭଳି ଓଡିଶାରେ ମଧ୍ୟ ସଂକ୍ରମଣ କ୍ଷୀପ୍ର ଗତିରେ ବୃଦ୍ଧି ପାଉଛି । ରାଜ୍ୟ ସରକାର କୋଭିଡ୍-୧୯ ମୁକାବିଲା ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଓଡିଶାରେ ପାଖାପାଖି ୧୦, ୫୦୦ରୁ ଉର୍ଦ୍ଧ୍ବ ବେଡ୍ ପ୍ରସ୍ତୁତି କରି ରଖାଯାଇଛି।
Powered by Froala Editor