ସାଣ୍ଡୱିଚ୍ରୁ ଜିଅନ୍ତା ପୋକ
ସାଣ୍ଡୱିଚ୍ରୁ ଜିଅନ୍ତା ପୋକ ବାହାରିବା ଘଟଣା ଏବେ ସୋସିଆଲ ମିଡିଆରେ ଛାଡ଼ିବା ପରେ ଖାଦ୍ୟର ମାନ ଓ ରେଷ୍ଟୁରାଣ୍ଟର ପରିଚ୍ଛନ୍ନତାକୁ ନେଇ ପ୍ରଶ୍ନ ଉଠିଛି। ରିପୋର୍ଟ ଅନୁସାରେ, ସଲଭ ମାଥୁର ନାମକ ଜଣେ ବ୍ୟକ୍ତି କିଛି ବନ୍ଧୁଙ୍କ ସହ ଗୁରୁଗ୍ରାମର ଏକ ରେଷ୍ଟୁରାଣ୍ଟକୁ ବ୍ରେକଫାଷ୍ଟ ପାଇଁ ଯାଇଥିଲେ। ସେମାନେ ପ୍ରାୟ ୬ରୁ ୭ଟି ଡିସ୍ ଅର୍ଡର କରିଥିଲେ।
ଖାଇବା ମଧ୍ୟରେ ମାଥୁରଙ୍କ ନଜର ସାଣ୍ଡୱିଚ୍ ଉପରେ ପଡ଼ିଥିଲା। ସାଣ୍ଡୱିଚ୍ର ଭିତରେ କିଛି ଚାଲୁଥିବା ତାଙ୍କର ନଜରକୁ ଆସିଥିଲା। ଭଲ ଭାବେ ଦେଖିବା ପରେ ସେଠାରେ ଏକ ଜିଅନ୍ତା ଧଳା ପୋକ ଥିବା ଦେଖିଥିଲେ। ସେତେବେଳକୁ ସାଣ୍ଡୱିଚ୍ର ପ୍ରାୟ ଅଧା ଖାଇ ସାରିଥିବା ଦାବି କରିଛନ୍ତି । ଘଟଣା ପରେ ମାଥୁର ସାଣ୍ଡୱିଚ୍ର ଭିଡିଓ କରିଥିଲେ। ଭିଡିଓରେ ଅଧା ଖିଆଯାଇଥିବା ସାଣ୍ଡୱିଚ୍ ଭିତରେ ପୋକଟି ଚାଲୁଥିବା ଦେଖାଯାଉଛି। ପରେ ସେ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଭିଡିଓ ସାମ୍ନାକୁ ଆସିବା ପରେ ଖାଦ୍ୟ ପ୍ରସ୍ତୁତି, ରୋଷେଇ ଘରର ପରିଚ୍ଛନ୍ନତା ଏବଂ ରେଷ୍ଟୁରାଣ୍ଟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି।
ଘଟଣା ସାମ୍ନାକୁ ଆସିବା ପରେ ରେଷ୍ଟୁରାଣ୍ଟ ପରିଚାଳନା ମାଥୁରଙ୍କ ସହ ଯୋଗାଯୋଗ କରି କ୍ଷମା ମାଗିଥିବା ଜଣାପଡ଼ିଛି। ତେବେ ଘଟଣାକୁ ନେଇ ଏପର୍ଯ୍ୟନ୍ତ କୌଣସି ଖାଦ୍ୟ ସୁରକ୍ଷା ଯାଞ୍ଚ, ଜରିମାନା କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଥିବାର ସ୍ପଷ୍ଟ ସୂଚନା ମିଳିନାହିଁ।
Powered by Froala Editor