ଦୁଷ୍କର୍ମ ବଦଲା ନେବାକୁ ଯାଇ ଅଭିଯୁକ୍ତ ଯୁବକଙ୍କୁ ପରିଶ୍ରା ପିଆଇଲେ
ରାଜସ୍ଥାନର କୋଟାରେ ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଅତ୍ୟନ୍ତ ବର୍ବର ଭାବରେ ନିର୍ଯାତନା ଦିଆଯାଉଥିବାର ଭିଡିଓଟି ଭାଇରାଲ ହୋଇଛି । ଅଭିଯୁକ୍ତର ଦୂର ସମ୍ପର୍କୀୟ ମାମୁଁ ଏବଂ ମାଇଁ ଅଭିଯୁକ୍ତଙ୍କୁ ମାଡ ମାରିବା ସହିତ ପରିଶ୍ରା ପିଆଇ ବଦଲା ନେଇଥିବା ଅଭିଯୋଗ ହୋଇଛି। ପୁଲିସ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ପରିଶ୍ରା ପିଆଇଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି।
ସମ୍ପୃକ୍ତ ୨୨ ବର୍ଷୀୟ ଦୁଷ୍କର୍ମ ଅଭିଯୁକ୍ତଙ୍କ ଘର ଗୁଜରାଟର ଅହମ୍ମଦାବାଦ ହୋଇଥିବା ବେଳେ ରାଜସ୍ଥାନରେ ରହି କାମଦାମ କରନ୍ତି। ଗାଁକୁ ଫେରିଥିବା ବେଳେ ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ । ସେଠାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଥିଲା । ସମ୍ପର୍କୀୟ ମାମୁଁ ଏବଂ ମାଇଁ ତାଙ୍କୁ ମାଡ ମାରିବା ସହିତ ମୂତ୍ର ପିଆଇଥିଲେ । ଏପରିକି ତାଙ୍କୁ ମାଡ ମରାଯାଉଥିବାର ଭିଡିଓଟିକୁ ମଧ୍ୟ ସେମାନେ ରେକର୍ଡ କରିଥିଲେ ।
ଅଭିଯୋଗ ପରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଗିରଫ କରିଛି ପୁଲିସ। ତେବେ ଗିରଫ ଯୁବକଙ୍କର ବଡ ଭାଇ ପାଲଟା ଅଭିଯୋଗ ଆଣିଛନ୍ତି। ପରବର୍ତ୍ତୀ ସମୟରେ ଭିଡିଓଟି ଭାଇରାଲ ହେବା ପରେ ପୁଲିସ ପକ୍ଷରୁ ଦ୍ୱିତୀୟ ମାମଲା ରୁଜୁ କରାଯାଇଥିଲା ।
ଯୁବକ କହିଛନ୍ତି ଯେ, ସେପ୍ଟେମ୍ବର ୧୪ତାରିଖ ସନ୍ଧ୍ୟାରେ ତାଙ୍କ ଭାଇକୁ ଡାକି ମାଡ଼ ମାରି ତାଙ୍କଠାରୁ ମୋବାଇଲ୍ ଫୋନ୍, ପରିଚୟ ପତ୍ର ଏବଂ ନଗଦ ୨୨,୦୦୦ ଟଙ୍କା ଲୁଟିନେଇଛନ୍ତି। ସେମାନେ ତାଙ୍କୁ ପିଟିପିଟି ପରିସ୍ରା ପିଇବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଏଥିସହ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରି ଏକ ଭିଡିଓ ଅନଲାଇନରେ ପୋଷ୍ଟ କରାଯାଇଛି। ଏହି ଅଭିଯୋଗ ଆଧାରରେ ସ୍ଥାନୀୟ ପୁଲିସ ଆଉ ଏକ ମାମଲା ମଧ୍ୟ ରୁଜୁ କରିଛି। ଅଭିଯୁକ୍ତଙ୍କ ଦୂରସମ୍ପର୍କୀୟ ମାମୁଁ ହୋମଗାର୍ଡରେ କାମ କରନ୍ତି। ଘଟଣାର ତଦନ୍ତ ଚାଲିଛି। ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ଡେପୁଟି ପୁଲିସ ଅଧୀକ୍ଷକ ପ୍ରବୀଣ ଜୈନ୍ କହିଛନ୍ତି।
Powered by Froala Editor