ଫର୍ମ-୬ କୁ ନେଇ ନିର୍ବାଚନ ଆୟୋଗଙ୍କୁ ମାଗିଲେ ଜବାବ ସୁପ୍ରିମକୋର୍ଟ
ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକାର ‘ସ୍ୱତନ୍ତ୍ର ସଘନ ସଂଶୋଧନ’ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ଭାରତୀୟ ନିର୍ବାଚନ ଆୟୋଗଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ଯେଉଁ ନାଗରିକମାନଙ୍କ ନାମ ପୂର୍ବରୁ ହିଁ ଭୋଟର ତାଲିକାରେ ରହିଛି, ସେମାନଙ୍କୁ ନୂତନ ଭୋଟରଙ୍କ ଭଳି ‘ଫର୍ମ-୬’ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାରୁ କୋର୍ଟ ଏହା ଉପରେ ଗଭୀର ଆପତ୍ତି ପ୍ରକାଶ କରିଛନ୍ତି।
ଭୋଟର ତାଲିକାରେ ଥିବା ନାଗରିକମାନଙ୍କୁ ପୁନଃ ନାମ ଦାଖଲ ପାଇଁ ନୂଆ ଭୋଟରଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ‘ଫର୍ମ-୬’ ପୂରଣ କରିବାକୁ ବାଧ୍ୟ କରାଯାଉଥିବାରୁ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏହାସହ ଦିଲ୍ଲୀରେ ନିକଟ ଭବିଷ୍ୟତରେ କୌଣସି ନିର୍ୱାଚନ ନଥିବାବେଳେ ଅକ୍ଟୋବର ୩୦ କଟ୍-ଅଫ୍ ଡେଟ୍ (ସମୟସୀମା) ଧାର୍ଯ୍ୟ କରିବା ପାଇଁ ଅଦାଲତ ନାପସନ୍ଦ କରିଛନ୍ତି ଏବଂ ଏହି ସମୟସୀମା ବୃଦ୍ଧି କରିବାକୁ କହିଛନ୍ତି। ପୂର୍ୱରୁ ତାଲିକାରେ ଥିବା ଭୋଟରଙ୍କୁ ‘ନୂଆ ଭୋଟର’ ଶ୍ରେଣୀରେ ନ ରଖି ସେମାନଙ୍କ ପାଇଁ ଏକ ସହଜ ଓ ସରଳ ଉପାୟ ବାହାର କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ବାଗ୍ଚୀ କହିଛନ୍ତି, ‘ଭୋଟ ଦେବାର ଅଧିକାର ହେଉଛି ଏକ ମୌଳିକ ଅଧିକାର।
ଯଦି ଜଣେ ଭୋଟର ଅନୁପସ୍ଥିତ ରହିଲେ, ତେବେ ତାଙ୍କର ଏହି ଅଧିକାର ଚିରଦିନ ପାଇଁ ରଦ୍ଦ ହୋଇଯିବ କି ସେ ପ୍ରଶ୍ନ ଉଠାଇଛନ୍ତି। ଖଣ୍ଡପୀଠ କହିଛନ୍ତି, କେବଳ ଭୋଟରଙ୍କ ଆବେଦନକୁ ଅପେକ୍ଷା ନକରି ନିର୍ୱାଚନ ଆୟୋଗ ନିଜେ ସେମାନଙ୍କ ପାଖରେ ପହଞ୍ଚିବା ଉଚିତ। ଯେଉଁ ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ, ସେମାନଙ୍କ ନାମ ପ୍ରକାଶ କରି ସେମାନଙ୍କୁ ନିକଟସ୍ଥ ବିଏଲ୍ଓଙ୍କ ସହ ଯୋଗାଯୋଗ କରି ଫର୍ମ-୮ ପୂରଣ କରିବାକୁ ସୁଯୋଗ ଦିଆଯାଉ ବୋଲି ଖଣ୍ଡପୀଠ କହିଛନ୍ତି।
ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସମୟରେ କହିଛନ୍ତି ଯେ, ‘ଲୋକ ପ୍ରତିନିଧିତ୍ୱ ଆଇନ’ ଅନୁଯାୟୀ, କେବଳ ଅସ୍ଥାୟୀ ଭାବରେ ଅନ୍ୟତ୍ର ରହୁଥିବା କାରଣରୁ କୌଣସି ବ୍ୟକ୍ତିଙ୍କୁ ‘ସ୍ଥାୟୀ ଭାବରେ ସ୍ଥାନାନ୍ତରିତ’ ବୋଲି ଧରାଯାଇପାରିବ ନାହିଁ। ଏଭଳି ଭୋଟରମାନଙ୍କୁ ନୂତନ ଭୋଟର ଭାବରେ ପୁନର୍ବାର ଆବେଦନ କରିବାକୁ ବାଧ୍ୟ କରିବା ସମ୍ପୂର୍ଣ୍ଣ ଅଗ୍ରହଣୀୟ ଅଟେ।
Powered by Froala Editor